ଜର୍ମାନୀ: ପୁଣି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍। ବଗି ଉପରେ ଚଢ଼ିଗଲା ବଗି। ଫଳରେ ୩ ଜଣଙ୍କର ଏବେସୁଦ୍ଧା ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରେଲଓ୍ୱେ ଅଧିକାରୀ।
ଦୁର୍ଘଟଣାଟି ଦକ୍ଷିଣ ଜର୍ମାନୀରେ ଘଟିଥିବା କୁହାଯାଉଛି। ଅଧିକାରୀମାନେ କହିଛନ୍ତି ମ୍ୟୁନିଚ୍ ଠାରୁ ପ୍ରାୟ ୧୫୮ କିଲୋମିଟର ପଶ୍ଚିମରେ ରିଡଲିଞ୍ଜେନ ନିକଟରେ ଘଟିଥିବା ଏହି ଦୁର୍ଘଟଣାର ତଦନ୍ତ କରାଯାଉଛି। ଯାତ୍ରୀବାହୀ ଟ୍ରେନ୍ ଟି ଜର୍ମାନୀର ସିଗମାରିଞ୍ଜେନ ସହରରୁ ଉଲ୍ଲ ସହରକୁ ଯାଉଥିଲା।
ଟ୍ରେନରେ କେତେ ଯାତ୍ରୀ ଥିଲେ: ଏହି ଦୁର୍ଘଟଣାରେରେ କେତେ ଜଣ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ଘଟିଥିବା ସମୟରେ ଟ୍ରେନରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି।
ବାଡେନ-ୱୁର୍ଟେମବର୍ଗ ରାଜ୍ୟର ଗୃହମନ୍ତ୍ରୀ ଥମାସ ଷ୍ଟ୍ରୋବଲ କହିଛନ୍ତି, “ଏଠାରେ ପ୍ରବଳ ବର୍ଷା ହେବା କାରଣରୁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ଜର୍ମାନ ଚାନ୍ସେଲରଙ୍କ ଶୋକ ପ୍ରକାଶ: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ ସେୟାର କରି ଏହି ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି।
ଜର୍ମାନ ରେଳ ପରିବହନର ଅବସ୍ଥା: ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଦୁର୍ଘଟଣା ପରେ ତୁରନ୍ତ ହେଲିକପ୍ଟର ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
ହେଲେ ଯାତ୍ରୀମାନେ ଜର୍ମାନ ରେଳ ପରିବହନ ପ୍ରତି ସମାଲୋଚନା କରିଛନ୍ତି। ଟ୍ରେନଗୁଡ଼ିକ ବିଳମ୍ବରେ ଚାଲିବା, ବିଭିନ୍ନ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହେବା ଜର୍ମାନୀର ଏକ ସାଧାରଣ ଘଟଣା ହୋଇଗଲାଣି।