ଭଉଣୀର ପ୍ରେମିକ ମୁହଁରେ ଲଙ୍କା ଗୁଣ୍ଡ ଛିଞ୍ଚି, ଗଳା କାଟିଦେଲା ପ୍ରେମିକାର ଭାଇ

ଜଘନ୍ୟ କାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ । ଦଳିତ ଯୁବକ ବୋଲି ଘରଲୋକେ ଦୁହିଁଙ୍କ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ।

ଚେନ୍ନାଇ: ତାମିଲନାଡ଼ୁରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସଫ୍ଟୱେର କମ୍ପାନୀରେ କାର୍ଯ୍ୟରତ ଯୁବକଙ୍କୁ ହତ୍ୟା କରାଯାଇଛି । ୨୭ ବର୍ଷୀୟ ଦଳିତ ଯୁବକ କେଭିନ ସେଲଭା ଗଣେଶଙ୍କ ଘର ଅରୁମୁଗାମଙ୍ଗଲମ୍ ଅଞ୍ଚଳରେ ।

ଯୁବକଙ୍କୁ ହତ୍ୟା କରାଯାଇଛି ତିରୁନେଲଭେଲିରେ । ହତ୍ୟାକାଣ୍ଡ ଭିଆଇଛନ୍ତି କେଭିନଙ୍କ ପ୍ରେମିକାଙ୍କ ୨୪ ବର୍ଷୀୟ ଭାଇ । ରିପୋର୍ଟ ମୁତାବକ କାଭିନଙ୍କ ସହ ଭଉଣୀ ଶୁଭାସିନିଙ୍କ ସମ୍ପର୍କକୁ ସହି ପାରୁ ନଥିଲେ ଭାଇ ସୁରଜିତ୍ ।

ଯେଉଁ କାରଣରୁ ସୁରଜିତ କାଭିନଙ୍କୁ ହତ୍ୟା କରିବାର ଉପାୟ ଚିନ୍ତା କରିଥିଲା । ସୁରଜିତଙ୍କ ବାପା ଓ ମା’ ଉଭୟ ପୋଲିସ ବିଭାଗରେ ଏସଆଇ ଭାବେ କାର୍ଯ୍ୟ କରନ୍ତି ।

ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କେଭିନ୍ ବର୍ଷରୁ ୨୪ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ପ୍ରେମିକା ଶୁଭାଶିନୀ ଜଣେ ଡାକ୍ତର । ରବିବାର ଦିନ କେଭିନ୍ ଶୁଭାଶିନୀଙ୍କ କ୍ଲିନିକରେ ଚିକିତ୍ସିତ ହେଉଥିବା ଜେଜେବାପାଙ୍କୁ ଦେଖା କରିବାକୁ ଯାଇଥିଲେ ।

ସେଠାରେ ସୁଜିତ ଓ କେଭିନଙ୍କ ଦେଖା ହୋଇଥିବାବେଳେ ଘର ଲୋକଙ୍କ ସହ ଦେଖା କରାଇବାକୁ କହି ସେ କେଭିନଙ୍କୁ ନିଜ ବାଇକରେ ବସେଇ ଏକ ନିଛାଟିଆ ଜାଗାକୁ ନେଇଗଲା ।

ସେଠାରେ ସୁଜିତ ପ୍ରଥମେ କେଭିନଙ୍କ ଆଖିରେ ଲଙ୍କାଗୁଣ୍ଡ ଛାଟିଥିଲେ । ଜୀବନ ବିକଳରେ କେଭିନ୍ ସେଠାରୁ ଦୌଡ଼ିବାକୁ ଲାଗିଲେ, ହେଲେ ସୁଜିତ ତାଙ୍କୁ ଧରି ନେଇ ଗଳା କାଟି ଦେଇଥିବା ଜଣାପଡ଼ିଛି ।

ଘଟଣାସ୍ଥଳରେ କେଭିନଙ୍କ ମୃତ୍ୟୁ ହୋଇଥିବାବେଳେ ସୁଜିତ ତୁରନ୍ତ ଥାନାରେ ସରେଣ୍ଡର କରିଥିବା ଜଣାପଡ଼ିଛି । ସ୍ଥାନୀୟ ପୋଲିସ ଟିମ ଘଟଣାର ତଦନ୍ତ ଚଳାଇଛି । ସୁଜିତଙ୍କ ନାଁରେ ଏକାଧିକ ଧାରା ଅନ୍ତର୍ଗତ ମାମଲା ରୁଜୁ ହୋଇଥିବା କୁହାଯାଉଛି ।