ବନ୍ୟାଞ୍ଚଳ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ
ବନ୍ୟା ପାଇଁ ମୋଟ୍ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଡି . କେ ସିଂ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିଥିଲେ ।
ଏହାପରେ ମୁଖ୍ୟମନ୍ତ୍ରୀ ବନ୍ୟା କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାଲେଶ୍ବର ଜିଲ୍ଲା ପ୍ରଭାବିତ- ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ପ୍ରଭାବିତ ହୋଇଛି ।
ଭଦ୍ରକ- ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍ ପ୍ରଭାବିତ ହୋଇଛି ।
ଯାଜପୁର- ଏହି ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ।
ମୋଟ୍ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି । କେନ୍ଦୁଝର ଜିଲ୍ଲା ବିଶେଷ ପ୍ରଭାବିତ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦିଆଯିବ କ୍ଷତିପୂରଣ- ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯେଉଁସବୁ ସ୍ଥାନରେ ଲୋକଙ୍କ ଘର କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ ।
ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ବ ଦେଉଛନ୍ତି ଏବଂ ବର୍ତ୍ତମାନ ବନ୍ୟାସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରହିଛି ବୋଲି ମୋହନ ମାଝୀ କହିଛନ୍ତି ।