ଟ୍ରମ୍ପଙ୍କୁ ଭାରତର ଶକ୍ତ ଚାପୁଡା, ଆମେରିକାର F-35 ଲଢୁଆ ବିମାନ କିଣିବନି ଭାରତ

ନୂଆଦିଲ୍ଲୀ: ଆମେରିକାକୁ ଭାରତର ଶକ୍ତ ଜବାବ। ଟ୍ରମ୍ପଙ୍କୁ ଓଲଟା ଚାପୁଡା ମାରିଲେ ମୋଦୀ! ଭାରତର ଉପରେ ଟ୍ରମ୍ପ ୨୫% ଶୁଳ୍କ ଲଗାଇଛନ୍ତି। ଆଉ ତାର ଜବାବରେ ଭାରତର ଆମେରିକାର F-35 ଲଢ଼ୁଆ ବିମାନ କିଣିବାକୁ ମନା କରିଦେଇଛି। ଯାହା ଟ୍ରମ୍ପଙ୍କୁ ଏକ ଶକ୍ତ ଚାପୁଡା ପରି।

ହଁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଏବେ ଆଲୋଚନା ଚାଲିଛି। କିନ୍ତୁ ଏହି ସମୟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି।

ସୂଚନାନୁସାରେ, ଏହି ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହେବ। ହେଲେ ଏତିକି ବେଳେ ଭାରତରୁ ଏକ ବଡ଼ ଖବର ମଧ୍ୟ ଆସିଛି। ରିପୋର୍ଟ ଅନୁସାରେ, ଭାରତ ଆମେରିକାର F-35 ଲଢ଼ୁଆ ବିମାନ କିଣିବାକୁ ମନା କରିଦେଇଛି।

ଭାରତ ଆମେରିକାକୁ କ’ଣ କହିଲା: ବ୍ଲୁମବର୍ଗ ଏହାର ରିପୋର୍ଟରେ କହିଛନ୍ତି, ଆମେରିକୀୟ ଉତ୍ପାଦ କ୍ରୟକୁ ତ୍ୱରାନ୍ୱିତ କରିବା ବିଷୟରେ ବିଚାର କରିବା ସତ୍ତ୍ୱେ ମଧ୍ୟ ଭାରତ ସରକାର ଆମେରିକାରୁ ଅତିରିକ୍ତ ପ୍ରତିରକ୍ଷା ଉତ୍ପାଦ କିଣିବାର ସମ୍ଭାବନା ବୋହୁତ୍ କମ୍।

ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତ ଆମେରିକାକୁ ଜଣାଇ ଦେଇଛି ଯେ ସେ F-35 ଷ୍ଟିଲଥ୍ ଲଢ଼ୁଆ ବିମାନ କିଣିବାକୁ ଆଗ୍ରହୀ ନୁହେଁ।

ଭାରତ କାହିଁକି F-35 କିଣିବନି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୦୨୫ରେ ଆମେରିକା ଗସ୍ତ କରିଥିଲେ ଏବଂ ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ସମୟରେ ଟ୍ରମ୍ପ ଭାରତକୁ F-35 ଲଢ଼ୁଆ ବିମାନ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଭାରତ ସରକାର ଘରୋଇ ସ୍ତରରେ ପ୍ରତିରକ୍ଷା ଉପକରଣର ମିଳିତ ଡିଜାଇନ୍ ଏବଂ ନିର୍ମାଣ ଉପରେ କେନ୍ଦ୍ରିତ ସହଭାଗୀତା ପ୍ରତି ଅଧିକ ଆଗ୍ରହୀ ଅଛି। କିନ୍ତୁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରତିକ୍ରିୟା ଦେଇନାହିଁ।

 ଭାରତ ବିରୁଦ୍ଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖରୁ ଭାରତରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ।

ଟ୍ରମ୍ପଙ୍କ କହିବା କଥା ଭାରତ ଆମେରିକା ଅପେକ୍ଷା ରୁଷରୁ ଅଧିକ ଯୁଦ୍ଧ ସାମଗ୍ରୀ କିଣୁଛି।  ଆଉ ସେହି ରାଗରେ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି ଟ୍ରମ୍ପ।

ଟ୍ରମ୍ପ କହିଛନ୍ତି ଯେ ଆମେରିକା ଭାରତ ସହିତ ତୁଳନାତ୍ମକ ଭାବରେ ‘କମ୍ ବାଣିଜ୍ୟ’ କରିଛି କାରଣ ଏହାର ଶୁଳ୍କ ବହୁତ ଅଧିକ। ଟ୍ରମ୍ପ ଆହୁରି କହିଛନ୍ତି – “ଭାରତ ସବୁବେଳେ ରୁଷଠାରୁ ଏହାର ସାମରିକ ଉପକରଣର କିଣୁଛି। ଯେତେବେଳେ ସମସ୍ତେ ଚାହୁଁଛନ୍ତି ରୁଷ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରୁ।

ଭାରତ ଶୁଳ୍କ ଉପରେ କ’ଣ କହିଲା: ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲାଗୁ କରିବା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର ସଂସଦରେ ଏ ବିଷୟରେ ଏକ ବିବୃତ୍ତି ଦେଇଥିଲେ।

ପୀୟୁଷ ଗୋୟଲ କହିଛନ୍ତି ଯେ ଶୁଳ୍କର ପ୍ରଭାବ ମୂଲ୍ୟାଙ୍କନ କରାଯାଉଛି ଏବଂ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

ପୀୟୁଷ ଗୋୟଲ ସଂସଦରେ କହିଛନ୍ତି ଯେ ମୋଦି ସରକାର ଚାଷୀ, ଶ୍ରମିକ, ଉଦ୍ୟୋଗୀ, ରପ୍ତାନିକାରୀ, ଏମଏସଏମଇ ଏବଂ ଶିଳ୍ପର ସମସ୍ତ ଅଂଶୀଦାରଙ୍କ ସୁରକ୍ଷା ଏବଂ ପ୍ରୋତ୍ସାହନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି।