ବଳଙ୍ଗା ପୀଡିତାଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ବର୍ବରତାର ଶିକାର ହୋଇଥିବା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଟ୍ୱିଟ କରି କହିଛନ୍ତି, “ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।”

ସୂଚନା ଅନୁଯାୟୀ, ପୀଡ଼ିତାଙ୍କୁ ଗତ କିଛି ସପ୍ତାହ ପୂର୍ବେ ଦୁର୍ବୃତ୍ତମାନେ ଅପହରଣ କରି ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା, ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।

ଦିଲ୍ଲୀ ଏମ୍ସରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ, ଯେଉଁମାନେ ବିଭିନ୍ନ ବିଭାଗର ୧୪ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିଲା। ପୀଡ଼ିତାଙ୍କର ୭୫ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଏବଂ ଏହା ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା, କିନ୍ତୁ ଗୁରୁତର ଅବସ୍ଥା ହେତୁ ସେ ମୃତ୍ୟୁବରଣ କରିଛନ୍ତି।