୮୧ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ

ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ଶିବୁ ସୋରେନ।

ଝାଡଖଣ୍ଡ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

‘ଦିଶୋମ୍ ଗୁରୁ’ ଭାବରେ ଜଣାଶୁଣା, ଶିବୁ ସୋରେନ ଏକ ମାସରୁ ଅଧିକ ସମୟ ଧରି ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ବାପାଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ପୁଅ ହେମନ୍ତ ସୋରେନ୍।

ରାଷ୍ଟ୍ରପତି ଏବଂ ନୀତିନ ଗଡକରୀ ହସ୍ପିଟାଲ ଯାଇଥିଲେ: କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ ଯାଇଥିଲେ।

ଶିବୁ ସୋରେନ ଜୁନ୍ ମାସରୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଯେଉଁଠାରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ପାଇଁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା।

୩ ଥର ମୁଖ୍ୟମନ୍ତ୍ରୀ ଥିଲେ: ଶିବୁ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ଏବଂ ପ୍ରମୁଖ ନେତା ଥିଲେ। ସେ ଦିଶୋମ ଗୁରୁ ଭାବରେ ମଧ୍ୟ ଜଣାଶୁଣା ଥିଲେ।

ଶିବୁ ସୋରେନଙ୍କ ଜନ୍ମ ୧୧ ଜାନୁଆରୀ ୧୯୪୪ରେ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ନେମରା ଗାଁରେ (ପୂର୍ବ ବିହାରର ହଜାରୀବାଗ ଜିଲ୍ଲା) ହୋଇଥିଲା।

ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ସେ ତିନିଥର (୨୦୦୫, ୨୦୦୮ ଏବଂ ୨୦୦୯) ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। କିନ୍ତୁ ସେ କେବେ ବି ତାଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ପୂରଣ କରିପାରି ନଥିଲେ।

ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଥିଲେ: ଶିବୁ ସୋରେନ ଝାଡ଼ଖଣ୍ଡ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଆଦିବାସୀଙ୍କ ଅଧିକାର ପାଇଁ ‘ଧନକତନୀ ଆନ୍ଦୋଳନ’ ଆରମ୍ଭ କରିଥିଲେ।

ଏହା ଅଧୀନରେ ସେ ମହାଜନଙ୍କ ବିରୁଦ୍ଧରେ ଆଦିବାସୀମାନଙ୍କୁ ଏକତ୍ରିତ କରିଥିଲେ। ସେ ୧୯୮୦ ରୁ ୨୦୧୯ ପର୍ଯ୍ୟନ୍ତ ଦୁମକାରୁ ଲୋକସଭା ସାଂସଦ ଥିଲେ ଏବଂ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିଲେ। ତାଙ୍କ ନେତୃତ୍ୱରେ ଝାଡ଼ଖଣ୍ଡକୁ ଏକ ସ୍ୱତନ୍ତ୍ର ରାଜ୍ୟ କରିବାରେ ଜେଏମଏମ ଏକ ନିର୍ଣ୍ଣାୟକ ଅବଦାନ ଦେଇଥିଲା।