ଏମ୍ସ ଭୁବନେଶ୍ୱରରେ ଐତିହାସିକ ୟୁରୋସ୍କୋପିଆ ୨୦୨୫ ସଫଳତାର ସହ ସମ୍ପନ୍ନ

ଭୁବନେଶ୍ୱର, ୦୪/୦୮/୨୦୨୫: ଏମ୍ସ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଉନ୍ନତ ଲାପାରୋସ୍କୋପିକ୍ ଓ ରେଟ୍ରୋପେରିଟୋନୋସ୍କୋପିକ୍ ୟୁରୋଲୋଜିକାଲ ସର୍ଜରୀ ଉପରେ ଜାତୀୟ କର୍ମଶାଳା ‘ୟୁରୋସ୍କୋପିଆ ୨୦୨୫’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଓଡ଼ିଶା ୟୁରୋଲୋଜି ଆସୋସିଏସନ୍ ସହଯୋଗରେ ଏମ୍ସ ଭୁବନେଶ୍ୱରର ୟୁରୋଲୋଜି ଓ ରେନାଲ ଟ୍ରାନ୍ସପ୍ଲାଣ୍ଟେସନ୍ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବ ଭାରତରେ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।

ତିନି ଦିନିଆ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଓ ଯୁବ ସର୍ଜନମାନେ ଅଂଶଗ୍ରହଣ କରି ଅତ୍ୟାଧୁନିକ ଶଲ୍ୟଚିକିତ୍ସା କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଟୁବିଙ୍ଗେନ୍ ମଡେଲ୍ ବ୍ୟବହାର କରାଯାଇ ଲାଇଭ୍ ଓ ସେମି-ଲାଇଭ୍ ଅସ୍ତ୍ରୋପଚାର ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା। ଆଡରେନାଲ୍ ଟ୍ୟୁମର, ବୃକକ୍ ଓ ପ୍ରୋଷ୍ଟେଟ୍ କର୍କଟ ପାଇଁ ସର୍ବନିମ୍ନ ଆକ୍ରମଣାତ୍ମକ ଅସ୍ତ୍ରୋପଚାର ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହା ରୋଗୀଙ୍କୁ ଶୀଘ୍ର ଆରୋଗ୍ୟ ଓ ଉନ୍ନତ କ୍ଲିନିକାଲ୍ ଫଳାଫଳ ପ୍ରଦାନ କରୁଛି।

ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ଜାତୀୟ କାର୍ଯ୍ୟକ୍ରମ ପାଇଁ ଆୟୋଜକ ଦଳକୁ ପ୍ରଶଂସା କରିବା ସହ ଏମ୍ସର ଉଚ୍ଚମାନର ଶଲ୍ୟଚିକିତ୍ସା ଶିକ୍ଷା ଓ ରୋଗୀ ସେବାରେ ନେତୃତ୍ୱକୁ ଆଲୋକପାତ କରିଥିଲେ। ଆୟୋଜନ କମିଟି ଅଧ୍ୟକ୍ଷ ଡ. ପ୍ରଶାନ୍ତ ନାୟକ ଓ ଡ. ସୁବୋଧ ଦାସ ଅଂଶଗ୍ରହଣକାରୀଙ୍କ ଉତ୍ସାହୀ ଅଂଶଗ୍ରହଣ ପାଇଁ କୃତଜ୍ଞତା ଜଣାଇଥିଲେ। ସଂଗଠନ ସଂପାଦକ ଡ. ମନୋଜ ଦାସ ପରବର୍ତ୍ତୀ ପିଢ଼ିର ୟୁରୋଲୋଜିଷ୍ଟଙ୍କୁ ପ୍ରେରଣା ଦେବାରେ ବିଭାଗର ପ୍ରତିବଦ୍ଧତାକୁ ଜୋର ଦେଇ କହିଥିଲେ।

ୟୁରୋସ୍କୋପିଆ ୨୦୨୫ର ସଫଳତା ପୂର୍ବ ଭାରତକୁ ଶଲ୍ୟଚିତ୍ସା ନବସୃଜନ ଓ ଉତ୍କର୍ଷତାର କେନ୍ଦ୍ର ଭାବେ ସ୍ଥାନିତ କରିଛି। ଡାକ୍ତରୀ ସମାଜ ଏହାକୁ ଏକ ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଜାରି ରଖିବାକୁ ଆହ୍ୱାନ ଦେଇଛି।