ଓଡିଶାଭାସ୍କର: ଯଦି ଶରୀରରେ କୌଣସି ପ୍ରକାରର ସମସ୍ୟା ଥାଏ ତେବେ ଆଖି, ଜିଭ ଏବଂ ନଖ ଏହାର ସଙ୍କେତ ଦେବା ଆରମ୍ଭ କରନ୍ତି। ଯଦି ହାତ କିମ୍ୱା ପାଦର ନଖର ରଙ୍ଗ ପରିବର୍ତ୍ତନ ହୁଏ, ନଖରେ ଧଳା ରଙ୍ଗର ଆସ୍ତରଣ ଦେଖାଯାଏ, ନକ ବୋହୁତ ଶୁଖିଯାଏ ତେବେ ଏହା ଏକ ସାଧାରଣ କଥା ନୁହେଁ।
ଏହା ଶରୀରର କିଛି ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ମଧ୍ୟ ହୋଇପାରେ। ବିଶେଷକରି ଯଦି ନଖରେ କୌଣସି ରେଖା ଦେଖାଯାଉଛି, ତେବେ ଏହାର ଅନେକ କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ଭିଟାମିନର ଅଭାବ ନଖରେ ରେଖା ଦେଖାଯିବାର କାରଣ ଏବଂ ଏହା କେଉଁ ବିପଦର ସଙ୍କେତ?
ନଖରେ ରେଖା ଦେଖିଯିବାର ଅନେକ କାରଣ ହୋଇପାରେ। ଏହାର ଏକ ପ୍ରମୁଖ କାରଣ ଶରୀରରେ ପୁଷ୍ଟିସାର ଅଭାବ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ବୟସ ବୃଦ୍ଧି ଏବଂ କିଛି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଏହାର କାରଣ ହୋଇପାରେ।
ନଖରେ ଥିବା ରେଖା କେଉଁ ରୋଗର ଲକ୍ଷଣ: ନଖରେ ଲମ୍ବା ଧଳା ରଙ୍ଗର ପଟି ଦେଖାଯିବା ମଧ୍ୟ ବାର୍ଦ୍ଧକ୍ୟ ହେବାର ଏକ ଲକ୍ଷଣ। ବୟସ ବଢ଼ିବା ସହିତ ଶରୀରରେ ପୁଷ୍ଟିସାର ଅଭାବ ଦେଖାଯାଏ, ଯାହା ଯୋଗୁଁ ଏହା ହୋଇପାରେ।
କେତେକ ସମୟରେ ଶରୀରରେ ଶୁଷ୍କତା ବୃଦ୍ଧି ପାଇବା ଯୋଗୁଁ ମଧ୍ୟ ଏହା ହେବାକୁ ଲାଗେ। ଯଦି ରେଖା ଅଧା ପାର୍ଶ୍ୱରେ ଥାଏ, ତେବେ ଏହା ବୟସ ବୃଦ୍ଧି ଯୋଗୁଁ ହୋଇପାରେ।
ଏହା ଏକ ବିପଦଜନକ ରୋଗ ନୁହେଁ। କିନ୍ତୁ ଯଦି ନଖରେ ରେଖା ଗଭୀର ହୋଇଯାଏ ଏବଂ ନଖ ଭାଙ୍ଗିବା, କଳା ହେବା କିମ୍ବା ରଙ୍ଗ ପରିବର୍ତ୍ତନ ହେବା ଆରମ୍ଭ କରେ, ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।
ନଖ ଉପରେ ସିଧା ଗାର: ଯଦି ନଖରେ ସିଧା ଏବଂ ଗଭୀର ରେଖା ଥାଏ ଏବଂ ନଖ ବଢ଼ିବା ସହିତ ଭାଙ୍ଗିଯାଏ, ତେବେ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ।
କିଛି ଲୋକଙ୍କର ଏହି ସମସ୍ୟା ଏକଜିମା, ଶୁଷ୍କ ଚର୍ମ, ହାଇପୋଥାଇରଏଡିଜମ୍ କାରଣରୁ ହୋଇପାରେ। ଲାଇକେନ୍ ପ୍ଲାନସ୍ ଏକ ଅଟୋଇମ୍ମ୍ୟୁନ୍ ରୋଗ ଯେଉଁଥିରେ ନଖରେ ରେଖା ଦେଖାଯାଇପାରେ। ଏଗୁଡ଼ିକୁ ବିଉ ରେଖା ମଧ୍ୟ କୁହାଯାଏ ଯାହା ଚାପ କିମ୍ବା କୌଣସି ରୋଗ ଯୋଗୁଁ ମଧ୍ୟ ବଢ଼ିପାରେ।
ନଖରେ ଧଳା ଗାର: ଏହାକୁ ଲ୍ୟୁକୋନିଚିଆ ଷ୍ଟ୍ରାଇଟା କୁହାଯାଏ। ଏପରି ଧଳା ରେଖା ଦେଖାଯିବା ମାଇକ୍ରୋଟ୍ରାମା, ଅନାଇକୋମାଇକୋସିସ୍ କିମ୍ବା ବଂଶାନୁକ୍ରମିକ ରୋଗକୁ ସୂଚିତ କରେ। ଏହି ଅବସ୍ଥାରେ, ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।
ନଖରେ ବାଦାମୀ ରେଖା: ଯଦି ନଖରେ ବାଦାମୀ ରଙ୍ଗର ଗାର ଦେଖାଯାଉଛି, ତେବେ ଏହାକୁ ମେଲାନୋନିଚିଆ କୁହାଯାଏ। ଏହା ନଖରେ କୌଣସି ଆଘାତ ଯୋଗୁଁ ହୋଇପାରେ। କେତେକ ସମୟରେ ଏହା ସଂକ୍ରମଣ କିମ୍ବା କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମଧ୍ୟ ହୋଇପାରେ।
ନଖରେ କଳା ଗାର: ଶରୀରରେ ଜିଙ୍କ୍ ଏବଂ ଭିଟାମିନ୍ ଅଭାବରୁ ନଖ କଳା ପଡ଼ିବାକୁ ଲାଗେ। ଯାହାକୁ ନଖ ମରିଯାଏ ବୋଲି କିଛି କିଛି କୁହନ୍ତି। ଏପରି ପରିସ୍ଥିତିରେ ନଖରେ କଳା ଦାଗ ଏବଂ ଷ୍ଟ୍ରାଇପ୍ ଦେଖାଯାଇପାରେ। ଏଥିପାଇଁ ଆପଣଙ୍କ ଖାଇବାରେ ଜିଙ୍କ୍ ଏବଂ ଭିଟାମିନ୍ C ଯୁକ୍ତ ଜିନିଷ ସାମିଲ କରନ୍ତୁ। ଯନ୍ତ୍ରଣା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
ନଖରେ ଧଳା ପଟି: ନଖରେ ଧଳା ରେଖାକୁ ମିସ୍ ରେଖା କୁହାଯାଏ। ଯଦି ଆପଣଙ୍କର ନଖରେ ଏପରି ରେଖା କିମ୍ବା ହାଲୁକା ପଟି ଅଛି ତେବେ ଏହାକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ। ଏହା କିଡନୀ ସହିତ ଜଡିତ ଏକ ଲକ୍ଷଣ ହୋଇପାରେ। ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।