fbpx

ଏମକେସିଜିରେ ହେବ ଲିକ୍ୱିଡ୍ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଠାରେ ଲିକ୍ୱିଡ୍ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଫାସିଲିଟିର ଉଦଘାଟନ କରିଛନ୍ତି । ଭର୍ଚୁଆଲ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମକେସିଜି ଠାରେ ପ୍ଳାଣ୍ଟ ତିଆରି ହେବା ଫଳରେ ଅକ୍ସିଜେନ ଅଭାବକୁ ଦୂର କରାଯାଇପାରିବ ଖାସ କରି ଏମକେସିଜି ମେଡିକାଲ କଲେଜରେ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଦରକାର ଥିବା ଅକ୍ସିଜେନ ଅଭାବକୁ ହ୍ରାସ କରିବା ନେଇ ସେ ଆଶା ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ଏବଂ ଅମ୍ଳଜାନ ଯୋଗାଣ ଉପରେ ନଜର ରଖାଯାଇଛି ।

ଅକ୍ସିଜେନ ସିଲିଣ୍ଡର କ୍ରୟ, ଅକ୍ସିଜେନ ଉତ୍ପାଦନ ସୁବିଧା ଏବଂ  ଏଲଏମଓ  କଣ୍ଟେନର ନିୟୋଜନ ମାଧ୍ୟମରେ ରାଜ୍ୟ ଅମ୍ଳଜାନ ପରିଚାଳନାକୁ ଆହୁରି ମଜବୁତ କରୁଛି। ଭବିଷ୍ୟତରେ ଅମ୍ଳଜାନ ଆବଶ୍ୟକତା ଏବଂ ପରିଚାଳନା ପାଇଁ ଯୋଜନା କରିବାକୁ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି ବୋଲି ନବୀନ କହିଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଏଲଏମଓ ପ୍ଲାଣ୍ଟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହାର ଉତ୍ପାଦନ କ୍ଷମତା ୨୦,୦୦୦ ଲିଟର ରହିଛି।

ମୁଖ୍ୟମନ୍ତ୍ରୀ ଭି.କେ ପାଣ୍ଡିଆନ୍, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟ ପରାମର୍ଶଦାତା ଆର ବାଲାକ୍ରିଷ୍ଣନ୍; WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗ ଏସିଏସ ପି.କେ ମହାପାତ୍ର, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ ତଥା ଏମ୍.କେ.ସି.ଜି.ର ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.