fbpx

ଜାନୁଆରୀ ୨୬ ହିଂସା: ‘ଲାଲ କିଲାକୁ କବଜା କରି ମୋଦୀ ସରକାରଙ୍କୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର’

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲ କିଲା ପରିସରରେ ଘଟିିଥିବା ହିଂସା ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ପ୍ରଦର୍ଶନକାରୀ କୃଷକ ଲାଲ କିଲାକୁ କବଜା କରିବାକୁ ଯୋଜନା କରିଥିଲେ ଏବଂ ଏହାକୁ ନୂତନ ପ୍ରଦର୍ଶନୀ ସ୍ଥଳୀ କରିବାକୁ ଚାହୁଁଥିଲେ । କେବଳ ଏତିକି ନୁହେଁ ମୋଦୀ ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଜାନୁଆରୀ ୨୬ ତାରିଖକୁ ଟ୍ରାକ୍ଟର ରାଲି ସହ ଲାଲ କିଲ୍ଲାରେ ବିରୋଧ ପ୍ରଦର୍ଶନ କରିବାକୁ ବାଛିଥିଲେ ଥିଲେ ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟରେ ଉଲ୍ଲେଖ କରିଛି । ପୁଲିସ ୩,୩୨୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରି ଲାଲ କିଲ୍ଲା ହିଂସାକୁ ପୂର୍ବ ନିୟୋଜିତ ଯୋଜନା ବୋଲି ଦର୍ଶାଇଛି ।

ସମାଚାର ଏଜେନ୍ସି ଏଏନଆଇ ଅନୁ୍‌ଯାୟୀ, ଦିଲ୍ଲୀ ପୁଲିସ ଚାର୍ଜସିଟରେ ଦର୍ଶାଯାଇଛି ଯେ, ଯୋଜନା ଅନୁସାରେ ଅଧିକ ସଂଖ୍ୟାରେ କୃଷକ ଲାଲ କିଲାରେ ପଶି ଅନେକ ଘଂଟା ଧରି ସେଠାରେ ଉତ୍ପାତ କରିଥିଲେ । କୃଷକ ଲାଲ କିଲାକୁ କବଜା କରିବାକୁ ଚାହୁଁଥିଲେ । ଏହାକୁ ଏକ ନୂତନ ଆନ୍ଦୋଳନ ସ୍ଥଳୀ କରିବାକୁ ଚାହୁଁଥିଲେ । ପ୍ରଦର୍ଶନକାରୀ କୃଷକ ସାରା ଦୁନିଆରେ ମୋଦୀ ସରକାରଙ୍କୁ ବଦନାମ କରିବାକୁ ଜାଣିଶୁଣି ଜାନୁଆରୀ ୨୬ ତାରିଖକୁ ବାଛିଥିଲେ ।

ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ, ଏଥିପାଇଁ ନଭେମ୍ବର-ଡିସେମ୍ବରରେ ଯୋଜନା ପ୍ରସ୍ତୁତ କରା ଯାଇଥିଲା । ରାଲି ପାଇଁ ହରିୟାଣା ଓ ପଞ୍ଜାବରେ ବଡ ସଂଖ୍ୟା ଟ୍ରାକ୍ଟର କିଣା ଯାଇଥିଲା । ଏହା ସମ୍ବନ୍ଧିତ ତଥ୍ୟ ଦିଲ୍ଲ ପୋଲିସ ଚାର୍ଜସିଟରେ ଆଟାଚ୍ କରିଛି । ଏହି ସମ୍ବେଦନଶୀଳ ଘଟଣାରେ ଅଭିନେତାରୁ କାର୍ଯ୍ୟକର୍ତା ପାଲଟିଥିବା ଦୀପ ସିଦ୍ଧୁ ଓ ଅନ୍ୟ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏହି ଚାର୍ଜସିଟ ମେ ୧୭ରେ ତିସ ହଜାରୀ ମାଜିଷ୍ଟ୍ରେଟଠାରେ ଦାଖଲ କରାଯାଇଛି । ଏହା ଉପରେ ମେ ୨୮ରେ ଶୁଣାଣି ହେବ ।

ଚାର୍ଜସିଟରେ କୁହାଯାଇଛି ଯେ, ଏହି ହିଂସାରେ ଦିଲ୍ଲୀ ପୋଲିସ ସମେତ ସୁରକ୍ଷା ଏଜେନ୍ସିର ୫୦୦ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି । ଅନେକ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଉପରେ ମରଣାନ୍ତ ଆକ୍ରମଣ କରାଯାଇଛି । ଏହି ମାମଲାରେ ବିଭିନ୍ନ ସ୍ତରରେ ତଦନ୍ତ କରାଯାଇ ୪୪ ଏଫଆଇଆର ରୁଜୁ କରାଯାଇଛି । ଏ ପର୍ଯ୍ୟନ୍ତ ୧୫୦ ଜଣଙ୍କୁ ଗିରଫ କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.