ଦୁଇ ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା: ମୃତକଙ୍କ ସଂଖ୍ୟା ୩୦ ଛୁଇଁଲା, ୫୦ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଇସଲାମାବାଦ: କରୋନା କାଳରେ ପାକିସ୍ତାନରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ସଂଘଟିତ ହୋଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାତ୍ରି ପ୍ରାୟ ୩ଟା ୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ଏକ୍ସପ୍ରେସର ୮ଟି ବଗି ନିୟନ୍ତ୍ରଣ ହରାଇ ଅନ୍ୟ ଟ୍ରାକରେ ପଶିଯାଇଥିଲା । ଫଳରେ ସାମ୍ନା ପଟରୁ ଆସୁଥିବା ଅନ୍ୟ ଏକ୍ସପ୍ରେସକୁ ଏହା ଧକ୍କା ଦେଇଥିଲା । ପ୍ରାୟ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଦୁର୍ଘଟଣା ସ୍ଥଳରେ କେହି ପହଞ୍ଚି ନଥିଲେ । ପରେ ଟ୍ରାକ୍ଟର ଓ ଟ୍ରଲି ଦ୍ୱାରା ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।