ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଥରେ ପାରିବାରିକ ରାଜନୀତିରେ ଟକ୍କର ଦେଖିବାକୁ ମିଳିଛି । ଲୋକତାନ୍ତ୍ରିକ ଜନଶକ୍ତି ପାର୍ଟି (ଏଲଜେପି)ର ୫ ଜଣ ସାଂସଦ ଦଳ ମୁଖିଆ ଚିରାଗ ପାଶ୍ୱାନଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିଲେ । ଏଥିସହ ସେମାନେ ଚିରାଗଙ୍କ ଦାଦା ପଶୁପତି ପାରସଙ୍କୁ ପାର୍ଟି ମୁଖ୍ୟ ଭାବେ ଗ୍ରହଣ କରିଛନ୍ତି । ତେବେ ରାଜନୀତିରେ ଦାଦା-ପୁତୁରା ଲଢ଼େଇ ନୂଆ ନୁହେଁ । ଭାରତୀୟ ରାଜନୀତିରେ ପୂର୍ବରୁ ଅନେକ ଥର ଦାଦା-ପୁତୁରା ସାପ ଓ ସିଡ଼ିର ଖେଳ ଖେଳିଥିବାର ଉଦାହରଣ ରହିଛି ।
ଗତ ୧୩ ତାରିଖରେ ଏଲଜେପିର ୬ ସାଂସଦଙ୍କ ମଧ୍ୟରୁ ୫ ଜଣ ପଶୁପତିଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ରାମ ବିଳାସ ପାଶ୍ୱାନଙ୍କ ମୃତ୍ୟୁ ପରେ ଏଲଜେପିର ଡୋରି ଚିରାଗଙ୍କ ହାତକୁ ଚାଲିଯାଇଥିଲା, ଯାହାକି ଦଳର ସମସ୍ତ ସଦସ୍ୟମାନେ ସହ୍ୟ କରିପାରିନଥିଲେ । ଗତ ବିହାର ବିଧାନସଭା ନିର୍ବାଚନରେ ଏନଡିଏରୁ ଅଲଗା ହୋଇ ଏଲଜେପି ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ଚିରାଗ ହିଁ ନେଇଥିଲେ, ପରିଣାମସ୍ୱରୂପ ଦଳକୁ ବିପର୍ଯ୍ୟୟର ସାମନା କରିବାକୁ ପଡ଼ିଥିଲା ।
୨୦୧୯ ମସିହାରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ରାତାରାତି ପୁତୁରା ଅଜିତ ପାୱାର ବିଜେପି ସହ ମିଶି ଶପଥ ନେଇଥିଲେ, ଯାହାର ଖବର ଦାଦା ଶରଦ ପାୱାରଙ୍କୁ ମିଳିପାରିନଥିଲା । ବାଲ ଠାକରେ ଜୀବିତ ଥିବା ଥିବା ସମୟରେ ତାଙ୍କର ପୁତୁରା ରାଜ ଠାକରେ ଦଳର ସମସ୍ତ ଦାୟିତ୍ୱ ତୁଲାଉଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବାଲାସାହେବ ନିଜର ପୁତ୍ର ଉଦ୍ଧବ ଠାକରେଙ୍କୁ ଦଳର ମୁଖ୍ୟ ଦାୟିତ୍ୱ ପ୍ରଦାନ କରିଥିଲେ । ୨୦୧୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ମୁଲାୟମ ସିଂହ ଯାଦବ ନିଜ ଭାଇ ଶିବପାଲଙ୍କ ସ୍ଥାନରେ ନିଜ ପୁତ୍ର ଅଖିଲେଖଙ୍କୁ ପାର୍ଟିର ମୁଖ୍ୟ ଦାୟିତ୍ୱ ପ୍ରଦାନ କରିଥିବା ଦେଖାଯାଇଥିଲା । ସେହିପରି ପଞ୍ଜାବରେ ପ୍ରକାଶ ସିଂ ବାଦଲ ନିଜ ପୁତ୍ର ସୁଖବୀରଙ୍କ ରାଜନୈତିକ କ୍ୟାରିୟର ବନାଇଥିଲେ, ଯାହାର ଖବର ପ୍ରକାଶଙ୍କ ପୁତୁରା ମନପ୍ରୀତଙ୍କୁ ଜଣାନଥିଲା, ତେଣୁ ମନପ୍ରୀତ ଅସନ୍ତୁଷ୍ଟ ହୋଇ ଏକ ନୂଆ ଦଳ ଗଠନ କରିଥିଲେ । ହରିୟାଣାରେ ଓମପ୍ରକାଶ ଚୌତାଲା ଓ ତାଙ୍କ ପୁତ୍ର ଅଜୟ ଚୌତାଲା ଜେଲ ଯିବା ପରେ ପୁତୁରା ଦୁଷ୍ୟନ୍ତ ଜନନାୟକ ଜନତା ପାର୍ଟି ନାମକ ଏକ ନୂଆ ଦଳ ଗଢ଼ିଥିଲେ ।