fbpx

ଏଥର ଟ୍ୱିଟର ସାମ୍ନା କରିବ ପୋଲିସକୁ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଆଇଟି ନିୟମକୁ ପାଳନ ନ କରିବା ଟ୍ୱିଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଟୁଇଟରକୁ ପୂର୍ବରୁ ମିଳୁଥିବା ସମସ୍ତ ଆଇନଗତ ସୁରକ୍ଷାକୁ ସରକାର ହଟାଇ ଦେଇଛନ୍ତି । ସରକାର ଗତ ମେ ମାସ ୨୫ ତାରିଖରେ ନୂଆ ନିୟମ ଲାଗୁ କରିଥିଲେ ମଧ୍ୟ ଟ୍ୱିଟର ଏବେ ତାହା ଲାଗୁ କରିନାହିଁ । ବର୍ତ୍ତମାନ ପୋଲିସ ଟ୍ୱିଟରର ଭାରତୀୟ ୟୁନିଟର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଜେରା କରିପାରିବ । ବେଆଇନ ଓ ହିଂସାତ୍ମକ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେଉଥିବା ବିଷୟକୁ ନେଇ ଟ୍ୱିଟର କର୍ମକର୍ତ୍ତାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି ।

ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଆଦେଶନାମା ଜାରି କରାଯାଇନାହିଁ । ଏହି ମାମଲାଟି ଆଇନଗତ ଦୃଷ୍ଟିରୁ ବହୁତ ଗମ୍ଭୀର ଅଟେ । ସାଇବର ଆକ୍ଟ ୭୯ ଧାରାରେ ସମସ୍ତ ମିଡିଆ ପ୍ଲାଟଫର୍ମକୁ ସରକାରୀଙ୍କ ପକ୍ଷରୁ ଆଇନଗତ ସୁରକ୍ଷା ମିଳିଥାଏ । କୌଣସି ଅପରାଧିକ କାର୍ଯ୍ୟକଳାପ ପାଇଁ କମ୍ପାନିକୁ ଦାୟୀ କରାଯାଇ ନାହିଁ। ଫେବ୍ରୁଆରି ୨୫ରେ କେନ୍ଦ୍ର ସରକାର ନୂଆ ଆଇଟି ନିୟମ ଘୋଷଣା କରିବା ସହ ଏହାକୁ ଲାଗୁ କରିବା ପାଇଁ ୩ ମାସ ସମୟ ଦେଇଥିଲେ । ସୋସିଆଲ୍ ମିଡିଆ କମ୍ପାନିମାନେ ଭାରତରେ ଜଣେ ନୋଡାଲ ଅଧିକାରୀ, ଅଭିଯୋଗ ଶୁଣୁଥିବା ଅଧିକାରୀ ଓ ଅନୁପାଳନ ଅଧିକାରୀ ନିଯୁକ୍ତ କରିବେ । ଏହି ଅଧିକାରୀମାନେ ଭାରତୀୟ ହୋଇଥିବେ ବୋଲି ନୂଆ ନିୟମରେ ଉଲ୍ଲେଖ ରହିଥିଲା । ମାତ୍ର ଟ୍ୱିଟର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରି ନଥିବାରୁ ସରକାରଙ୍କ ପକ୍ଷରୁ ଆଗକୁ ବଡ଼ଧରଣର ପଦକ୍ଷେପ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.