fbpx

ମହାରାଷ୍ଟ୍ରରେ ମହାନାଟକ: ଉଦ୍ଧବ କହିଲେ- ଏକାକୀ ନିର୍ବାଚନ ଲଢିବା କଥା କହିଲେ, ଲୋକେ  ଜୋତାରେ ପିଟିବେ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ମହାନାଟକ। ମହାବିକାଶ ଅଘାଡିରେ ଦିନକୁ ଦିନ ମତଭେଦ ବଢିବାରେ ଲାଗିଛି। ମେଣ୍ଟ ସରକାରରେ ଶିବସେନା ଓ କଂଗ୍ରେସ ମଧ୍ୟରେ ଫାଟ ରାଜନୀତିକୁ ଆହୁରି ସରଗରମ କରିଛି। ଶିବସେନା ଓ କଂଗ୍ରେସ ପରୋକ୍ଷରେ ପରସ୍ପର ପ୍ରତି ରାଜନୈତିକ ବୟାନବାଜି କରିବାରେ ଲାଗିଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ସଭାପତି ନାନା ପଟୋଲେ ଓ ଅନ୍ୟ ସ୍ଥାନୀୟ ନେତା ଏକାକୀ ନିର୍ବାଚନ ଲଢିବା ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ନୂତନ ମୋଡ ଆସିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଉଦ୍ଧବ ଶନିବାର ଇସାରାରେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ଯେଉଁ ଲୋକେ ସମସ୍ୟାର ସମାଧାନ ନକରି ଏକାକୀ ନିର୍ବାଚନ ଲଢିବା କଥା କୁହନ୍ତି, ଲୋକେ ସେମାନଙ୍କୁ ଜୋତାରେ ପିଟିବେ।

କଂଗ୍ରେସ କିମ୍ବା ଦଳର କୌଣସି ନେତାଙ୍କ ନାମ ନନେଇ ଉଦ୍ଧବ ଠାକରେ କହିଛନ୍ତି, ଯଦି ଆମେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା ନାହିଁ ଓ କେବଳ ରାଜନୀତିରେ ଏକାକୀ ନିର୍ବାଚନ ଲଢିବା କଥା କହିବା, ତେବେ ତ ଲୋକେ ଆମକୁ ଜୋତାରେ ପିଟିବେ। ସେମାନେ ଆମ କଥା ଶୁଣିବେ ନାହିଁ। ନିକଟରେ ମୁମ୍ବାଇ କଂଗ୍ରେସ ପ୍ରମୁଖ ଭାଇ ଜଗପାତ କହିଥିଲେ, ସେ ଶିବସେନା ସହ ବିନା ହାତ ମିଳାଇ ଆସନ୍ତା ବର୍ଷ ମୁମ୍ବାଇ ମ୍ୟୁନିସପାଲ ନିର୍ବାଚନ ଲଢିବାକୁ ପ୍ରସ୍ତୁତ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପାର୍ଟିର ୫୫ତମ ସ୍ଥାପନା ଦିବସ ଅବସରରେ କହିଛନ୍ତି, ସମସ୍ତ ରାଜନୈତିକ ପାର୍ଟିକୁ ନିଜର ଆକାଂକ୍ଷାକୁ ଅଲଗା ରଖିବା ଉଚିତ୍। ସଂପ୍ରତି ଅର୍ଥବ୍ୟବସ୍ଥା ଓ ସ୍ଵାସ୍ଥ୍ୟ ଭିତ୍ତିଭୂମି ଉପରେ ଧ୍ୟାନ ଦେବା ଉଚିତ୍। କରୋନା ଭାଇରସ୍ ମହାମାରୀ ମଧ୍ୟରେ ନିଜ ପାର୍ଟିର ୫୫ତମ ପ୍ରତିଷ୍ଠା ଦିବସ ଅବସରରେ ଠାକରେ କହିଛନ୍ତି, ଦେଶ ସମ୍ମୁଖରେ ବର୍ତ୍ତମାନ ଅର୍ଥବ୍ୟବସ୍ଥା ଓ ସ୍ଵାସ୍ଥ୍ୟ ଦୁଇଟି ପ୍ରମୁଖ ପ୍ରସଙ୍ଗ ରହିଛି। ଏବେ ସମୟ ଉପନ୍ନିତ ସମସ୍ତ ରାଜନୈତିକ ଦଳ ସ୍ଥିର କରନ୍ତୁ ଯେ, ସେମାନେ କ୍ଷମତା ପାଇଁ ରାଜନୀତି କରିବାକୁ ଚାହାନ୍ତି ନା ଆର୍ଥିକ ମୋର୍ଚ୍ଚାରେ ସମାଧାନର ରାସ୍ତା ଖୋଜିବାକୁ ଚାହାନ୍ତି।

ଠାକରେ ଏହା ମଧ୍ୟ କହିଛନ୍ତି, ଯଦି କୌଣସି ପାର୍ଟି ଏହା କହିବାକୁ ଚାହାନ୍ତି ଯେ, ସେ ଅନ୍ୟ ଦଳ ସହ ହାତ ନମିଳାଇ ନିର୍ବାଚନ ଲଢିବାକୁ ଚାହାନ୍ତି, ତେବେ ସେମାନେ ପ୍ରଥମେ ଲୋକଙ୍କୁ ଆତ୍ମ ବିଶ୍ଵାସ ଓ ସାହାସ ଦେବା ଉଚିତ୍। ନଚେତ୍ ଲୋକେ ପଚାରିବେ ଯେ, ପାର୍ଟି ପାଖରେ ସେମାନଙ୍କୁ ଆଜୀବିକା ଓ ରୋଜଗାର ଦେବା ପାଇଁ କଣ ଯୋଜନା ରହିଛି। ଦଶନ୍ଧି ଧରି ପରସ୍ପରର ବିରୋଧୀ ରହିଥିବା ଶିବସେନା ଓ କଂଗ୍ରେସ ୨୦୧୯ରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ପାର୍ଟି ବିଜେପିଠୁ ଅଲଗା ହେବା ପରେ ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ।

Get real time updates directly on you device, subscribe now.