fbpx

ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଟାର୍ଗେଟ୍ ରଖିଛନ୍ତି । ମହାନଗର ନିଗମରେ ୨୦ଟି, ମ୍ୟୁନିସିପାଲିଟିରେ ୧୦ଟି ସେସନ କରାଯିବା ସହ ପ୍ରତ୍ୟେକ ବ୍ଲକ ଓ ଏନଏସିରେ ୫ଟି ଲେଖାଏଁ ସେସନ କରାଯିବ । ଉଭୟ ଅନଲାଇନ ଓ ଅଫଲାଇନ ଟିକାକରଣ ପାଇଁ ଜିଲ୍ଲାସ୍ତରରେ ସମସ୍ତ ଯୋଜନା ପ୍ରସ୍ତୁତ ହୋଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଦୈନିକ ଟିକାକରଣ ଦେଢ଼ ଲକ୍ଷରୁ କମ୍ ରହିଛି । ଟିକା ନଷ୍ଟକୁ ହ୍ରାସ କରାଯିବା ସହ ଅଧିକ ସଂଖ୍ୟାରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟରେ ୧୮ରୁ ୪୪ ବର୍ଷର ୩.୦୯ କୋଟି ଲୋକ ଥିବାବେଳେ ସେମାନଙ୍କ ପାଇଁ ମୋଟ ୬.୧୮ କୋଟି ଡୋଜ୍ ଆବଶ୍ୟକ । ଗତ ଜାନୁଆରୀ ୧୬ରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯୬ ଲକ୍ଷ ୭୭ ହଜାର ୫୯୨ ଡୋଜ୍ ଟିକାକରଣ ସରିଛି । ସେମାନଙ୍କ ମଧ୍ୟରୁ ୧୭.୯୭ ଲକ୍ଷରୁ ଅଧିକ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । ଟିକାକରଣ ବୃଦ୍ଧି କରିବାକୁ ହେଲେ ତୃଣମୂଳସ୍ତରରୁ ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଭ୍ୟାକ୍ସିନେସନ କରାଯିବ । ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟଧାର୍ଯ୍ୟ ହୋଇଛି, ତେଣୁ ଅଧିକ ସଂଖ୍ୟାରେ ଟିକାକରଣ ଅଧିବେଶନ ଆୟୋଜିତ ହେବ । ବର୍ତ୍ତମାନ ରାଜ୍ୟର ୨୨ ପ୍ରତିଶତ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଏବେ ୧୦ ଲକ୍ଷ କୋଭିସିଲ୍ଡ ଓ ୪ ଲକ୍ଷ କୋଭାକ୍ସିନ ଟିକା ଷ୍ଟକ୍ ରହିଛି । ଲୋକଙ୍କୁ ଟିକାକରଣ ନେଇ ସଚେତନ କରାଯାଉଛି, ଆଗାମୀ ଦିନରେ ରାଜ୍ୟରେ ଟିକାକରଣ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.