fbpx

ବନ୍ଧ୍ୟାତ୍ୱକୁ ଡାକି ଆଣିବ କରୋନା ଭ୍ୟାକ୍ସିନ୍: ପୁଣି ସନ୍ଦେହଘେରରେ ଟିକାକରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ତେବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ଆଖି ଆଗରେ ରଖି ଟିକାକରଣକୁ ବଢ଼ାଇ ଦିଆଯାଇଛି । ଦେଶରେ କୋଟି କୋଟି ଲୋକ ଏବେ ସୁଦ୍ଧା ଭ୍ୟାକ୍ସିନ ନେଇ ସାରିଲେଣି, ଅନେକ ଲୋକ ଟିକାକୁ ନେଇ ସନ୍ଦେହ ଘେରରେ ରହିଛନ୍ତି । ପୂର୍ବରୁ ମଧ୍ୟ ଭ୍ୟାକ୍ସିନକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନଟିଏଜିଆଇର ଅଧ୍ୟକ୍ଷ ଡା. ଏନକେ ଅରୋଡା ଏନେଇ ଏକ ଭିନ୍ନ ମତ ଦେଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ଡା. ଅରୋଡା କରୋନା ଟିକାକରଣ ଅଭିଯାନ ବନ୍ଧ୍ୟାତ୍ୱକୁ ବଢ଼ାଉଛି ବୋଲି ଉଠିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଡା, ଅରୋଡା କହିଛନ୍ତି ଯେ, ତାଙ୍କର ଟିମ୍ ଖୁବଶୀଗ୍ର ବିଶ୍ୱର ପ୍ରଥମ ଡିଏନଏ-ପ୍ଲାସ୍ମିଡ ଟିକା ନିର୍ମାଣ କରିବାକୁ ଯାଉଛନ୍ତି, ଯାହାକି ଭାରତରେ ପ୍ରସ୍ତୁତି ଜାରି ରହିଛି । ଏହି ଭ୍ୟାକ୍ସିନ ଆସନ୍ତା ଡିସେମ୍ବର ମାସରେ ଉପଲବ୍ଧ ହେବ । ଜୁଲାଇ ମାସର ତୃତୀୟ ସପ୍ତାହ ସୁଦ୍ଧା ଭାରତରେ ବାୟୋଟେକ ଓ ଏସଆଇଆଇର ଉତ୍ପାଦନ କ୍ଷମତା ବୃଦ୍ଧି ଘଟିପାରେ । ଫଳରେ ଦେଶରେ ଟିକା ବିତରଣ ବଢ଼ିବା ସହ ଅଗଷ୍ଟ ମାସରେ ୩୦ରୁ ୩୫ କୋଟି ଡୋଜ ଉପଲବ୍ଧ ହେବ । ଏଭଳି ସ୍ଥିତିରେ ଦୈନିକ କୋଟିଏ ଲୋକଙ୍କୁ ଟିକାକରଣ କରାଯାଇପାରିବ ।

ସେ କହିଛନ୍ତି ଯେ, ଭ୍ୟାକ୍ସିନକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାର ନୂଆ ତଥ୍ୟକୁ ନେଇ ଚର୍ଚ୍ଚା ହେଉଛି । ଭ୍ୟାକ୍ସିନ ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଥିବା ନେଇ କିଛି ଲୋକ ଏବେ ଆଶଙ୍କା ମଧ୍ୟରେ ରହିଛନ୍ତି । ମୁଖ୍ୟ କଥା ହେଉଛି, ଯେତେବେଳେ ଭାରତ ସହ ଅନ୍ୟ ଦେଶକୁ ପୋଲିଓ ଟିକା ଆସିଥିଲା, ସେତେବେଳେ ମଧ୍ୟ ଟିକାକୁ ନେଇ ଅନେକ ଭ୍ରାନ୍ତଧାରଣା ସୃଷ୍ଟି ହୋଇଥିଲା । ପୋଲିଓ ଟିକା ନେବା ଦ୍ୱାରା ଶିଶୁଟିର ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ସେତେବେଳେ କୁହାଯାଉଥିଲା । ଆମେ ଜାଣିବା କଥା, ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ପରେ ଭ୍ୟାକ୍ସିନ ନିର୍ମାଣ କରିଛନ୍ତି । କୌଣସି ଟିକାର ବିଭିନ୍ନ ପ୍ରକାର ସାଇଡ୍ ଇଫେକ୍ଟ ନଥାଏ । ତେଣୁ ଏପରି ଭୁଲ ଅପପ୍ରଚାରରୁ ଦୂରେଇ ରହି ଜନସାଧାରଣ ଟିକାକରଣ କରାଇବା ଜରୁରୀ ବୋଲି ସେ କହିଥିଲେ ।

Get real time updates directly on you device, subscribe now.