fbpx

ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ: ଅନଭିଜ୍ଞଙ୍କୁ ଦାୟିତ୍ୱ ପ୍ରଦାନ, ବରିଷ୍ଠଙ୍କୁ ଉପେକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡିରେ ଯେ ଗୋଷ୍ଠୀ କନ୍ଦଳ ରହିଛି, ତାହା ଜଳ ଜଳ ହୋଇ ଦିଶୁଛି । କରୋନା ମହାମାରୀ ସମୟରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜାଗ ହୋଇଛି । ଦଳ ପକ୍ଷରୁ ୨୬ ଜଣଙ୍କୁ ପର୍ଯ୍ୟବେକ୍ଷକ ଓ ୬ ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତ କରିଛନ୍ତି । ୧୨ ଜଣ ମନ୍ତ୍ରୀ ଓ ୨ ଜଣ ସାଂସଦଙ୍କୁ ପର୍ଯ୍ୟବେକ୍ଷକ ତାଲିକାରେ ସ୍ଥାନ ଦେଇ ଦଳ ଆଗାମୀ ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତି କରିଛି । ଅନେକ ପୁରୁଖା ତଥା ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଇ ଅନଭିଜ୍ଞ ନେତାଙ୍କୁ ଏକଚାଟିଆ ଭାବେ ଦାୟିତ୍ୱ ପ୍ରଦାନ କରି ବବି ଦଳରେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି ।

ସଞ୍ଜୟ ଦାସବର୍ମାଙ୍କ ଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ । ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ ପ୍ରଣବ ବଳବନ୍ତରାୟ, ତୁଷାରକାନ୍ତି ବେହେରା ଓ ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ଜିଲ୍ଲା ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଛି । ଅପରପକ୍ଷେ ପ୍ରମିଳା ମଲ୍ଲିକଙ୍କ ବାଚସ୍ପତି ଓ ମନ୍ତ୍ରୀ ହେବା ଆଶା ମଧ୍ୟ ମଉଳି ଯାଇଛି । କାରଣ ବବିଙ୍କ ନିଜ ଜିଲ୍ଲା ଯାଜପୁରର କୌଣସି ନେତାଙ୍କୁ ମନ୍ତ୍ରୀପଦରେ କି ସରକାରୀ ସ୍ତରର ଥଇଥାନ କରାଯିବ ନାହିଁ ବୋଲି ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ସାଂଗଠନିକ କାର୍ଯ୍ୟରୁ ବଲାଙ୍ଗିର ରାଜପରିବାରକୁ ଦୂରେଇ ରଖାଯାଇ କଳିକେଶ ସିଂହଦେଓ ଓ ଅନଙ୍ଗ ଉଦୟ ସିଂହଦେଓଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯାଇଛି ।

ବବି ନିଜ ପାଖରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷ ଦାୟିତ୍ୱ ରଖିଥିବା ବେଳେ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ସଭାପତି ଥିବା ମହେଶ୍ୱର ମହାନ୍ତି, ପ୍ରଶାନ୍ତ ମୁଦୁଲି ଓ ଦେବାଶିଷ ସାମନ୍ତରାୟଙ୍କ ସମେତ ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଲୋଡ୍ ଦିଆଯାଇଛି । ବିଭିନ୍ନ ସମୟରେ ନିଜର ସାଂଗଠନିକ ଦକ୍ଷତା ଓ ସୁପ୍ରିମୋଙ୍କ ପ୍ରତି ଆନୁଗତ୍ୟ ପ୍ରକଟ କରିଆସୁଥିଲେ ମଧ୍ୟ ସଞ୍ଜୟ ଦାସବର୍ମାଙ୍କୁ ଅଣଦେଖା କରାଯାଇଛି । ସେହିପରି ଜଣେ ଦୃଢ଼ ସଂଗଠନ ଭାବେ ଜଣାଶୁଣା ଅରୁଣ ସାହୁଙ୍କୁ ବାଦ୍ ଦିଆଯାଇଛି । କାହାକୁ ଶୂନ ତ ଆଉ କାହାକୁ ଡବଲ୍ ମିଳିବା ଘଟଣା ଓ ମାତ୍ର କେଇଜଣଙ୍କ ହାତରେ ଦଳର କ୍ଷମତା ନ୍ୟସ୍ତ ଘଟଣା ନେଇ ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ତେବେ ଏହି ଘୋଷଣା ପଛରେ ଦଳର କ’ଣ ଭିତିରିଆ ଉଦ୍ଦେଶ୍ୟ ରହିଛି, ତାହା ଆଗାମୀ ସମୟରେ ହିଁ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.