fbpx

ବିଶ୍ୱରେ ରହିଛି ୮୮୭ ପ୍ରକାର ବିପଦଜନକ ଭାଇରସ୍, ସୃଷ୍ଟି କରିପାରେ କରୋନା ଭଳି ୩୦ ପ୍ରକାର ମହାମାରୀ

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ କରୋନା ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ପୁଣି ଆଉ ୮୮୭ ପ୍ରକାର ବିପଦଜନକ ଭାଇରସର ତାଲିକା କରାଯାଇଛି ।ହେଲେ ଏହି ଭାଇରସ ଗୁଡିକ ସାଧାରଣତଃ ଜୀବଜନ୍ତୁଙ୍କ ଶରୀରରେ ଦେଖାଯାଆନ୍ତି । କିନ୍ତୁ ଏହିସବୁ ଆଗକୁ ଅନେକ ମାରାତ୍ମକ ତଥା କରୋନା ଭଳି ଭୟଙ୍କର ମହାମାରୀ ସୃଷ୍ଟି କରିବାର ଆଶଙ୍କା ରହିଛି । ଭବିଷ୍ୟତରେ ଏହିସଵୁ ଭାଇରସରୁ ୩୦ ପ୍ରକାର ମହାମାରୀ ସୃଷ୍ଟି ହେବ ବୋଲି ୧୩ଟି ଦେଶର ବୈଜ୍ଞାନିକଙ୍କ ଗବେଷଣାରୁ ସାମ୍ନାକୁ ଆସିଛି ।

ଏନେଇ ୧୩ଟି ଦେଶର ୬୫ ବୈଜ୍ଞାନିକ ପରିବେଶରେ ରହିଥିବା କୀଟପତଙ୍ଗ, ଗୃହପାଳିତ ପଶୁ, ଜଙ୍ଗଲି ଜନ୍ତୁଙ୍କ ଶରୀରରେ ଦେଖାଯାଉଥିବା ଭାଇରସ୍ ଉପରେ ଛାନଭିନ୍ କରିଛନ୍ତି । ୮୮୭ ଭାଇରସ୍ ଭିତରୁ ୩୦ଟି ମଣିଷକୁ ସଂକ୍ରମିତ କରିପାରନ୍ତି । ତେବେ ବାକି ୮୫୭ ଭାଇରସ୍ କେତେ ମାରାତ୍ମକ ସେନେଇ ଗବେଷଣା ଚାଲିଛି । ୟୁନିଭରସିଟି ଅଫ କାଲିଫର୍ଣିଆର ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ଜୋନା ମେଜେଟ୍, ଭାଇରସ୍ ର ଭୟାବହତା ନେଇ ବିଭାଗୀକରଣ କରିଛନ୍ତି । ଏ ଭିତରୁ କିଛି ଅତି ମାରାତ୍ମକ ହୋଇଥିବା ବେଳେ କିଛି ପ୍ରଭାବଶାଳୀ ନୁହନ୍ତି ।

ତାଲିକାଭୁକ୍ତ ହୋଇଥିବା ୮୮୭ଟି ଭାଇରସ୍ ଏମିତି ତ ଜୀବଜନ୍ତୁଙ୍କ ଶରୀରରେ ଦେଖାଯାଏ, କିନ୍ତୁ ମଣିଷକୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ସିଓଲ, ହେପାଟାଇଟିସ୍ ଇ, ରାବିସ୍, ସିମିଆଲ୍ ଫୋମି ଏବଂ କରୋନା ଭଳି କିଛି ଭାଇରସ୍ ବିଶ୍ବ ମହାମାରୀର ରୂପ ନେଇପାରନ୍ତି । ସେହିପରି ସାର୍ସ-କୋଭ୍-୨, ନିପ୍ପା, ରେଟ୍ରୋ, ପ୍ରେଡିକ୍ଟ କୋଭ୍-୩୫, ବୋର୍ନା, ମାଉସ, ମଙ୍କି ପକ୍ସ ଏବଂ ପ୍ରେଡିକ୍ଟ କୋଭ୍-୨୪ ଭଳି କିଛି ଭାଇରସ୍ କୁ ସେମି ଗ୍ଲୋବାଲ୍ ଶ୍ରେଣୀରେ ରଖା ଯାଇଛି । ଯେଉଁମାନେ ଅଧା ବିଶ୍ୱକୁ ବ୍ୟାପି ଯାଇ ପାରନ୍ତି । ବ୍ୟାପକ କ୍ଷୟକ୍ଷତି କରୁଥିବା ଭାଇରସ ଭିତରୁ ଲାସା, ଇବୋଲା, ଫିଲୋ, ସାର୍ସ କରୋନା, ୟୁରୋପିଆନ୍ ବ୍ୟାଟ୍ ଲିସା, କାଓ ପକ୍ସ, ଏବଂ ବୁନିୟା ଭଳି କିଛି ବିପଦଜନକ ରହିଛନ୍ତି ।

ମଣିଷ ପ୍ରତି ସବୁଠୁ ବେଶୀ ବିପଦଜନକ ଭାଇରସ୍ ହେଉଛି ସାର୍ସ-କୋଭ୍-୨ । ତାପଛକୁ ରହିଛି ମାଙ୍କଡ ଦେହରୁ ଆସୁଥିବା ସିମିଆନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍, ଯାହା HIV ମହାମାରୀ ସୃଷ୍ଟି କରିଥାଏ । ପୁଣି ଯଦି ଦୁଇଟି ଅଲଗା ଅଲଗା ପ୍ରଜାତିର ଭାଇରସ୍ ମିଶି ନୂଆ ଭାଇରସ୍ ତିଆରି କରନ୍ତି, ତେବେ ତାକୁ ସମ୍ଭାଳିବା ବହୁତ ମୁସ୍କିଲ ହୋଇପଡିବ ।

Get real time updates directly on you device, subscribe now.