fbpx

ଖୁବ୍ ଶୀଘ୍ର ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଉପଲବ୍ଧ ହେବ ଜାଇଡସ୍ କାଡିଲା ଭାକସିନ୍, କେବଳ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶକୁ ସ୍ୱଦେଶୀ ଫାର୍ମା କମ୍ପାନୀ ଜାଇଡସ୍ କାଡିଲା ଦ୍ୱାରା ନିର୍ମିତ ହେଉଥିବା ଆଉ ଏକ କୋଭିଡ୍ ଟିକା ମିଳିବାକୁ ଯାଉଛି । ଶନିବାର ଦିନ କେନ୍ଦ୍ର ପକ୍ଷରୁ ଏହି ସମ୍ପର୍କରେ ସୁପ୍ରିମକୋର୍ଟକୁ ସୂଚନା ଦିଆଯାଇଛି । ଜାଇଡସ୍ କାଡିଲା ଟିକାର କ୍ଲିନିକାଲ୍ ଟ୍ରାଏଲ୍ ପୂରା କରିସାରିଛି । ଏହାସହିତ ଏହି କମ୍ପାନୀ ୧୨ ରୁ ୧୮ ବର୍ଷର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଟିକା ମଧ୍ୟ ପ୍ରସ୍ତୁତ କରୁଛି । ଏହା ଉପରେ କାମ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି ।

ତେବେ କରୋନା ମହାମାରୀର ତୃତୀୟ ଲହର ଆସିବାକୁ ଯାଉଥିବା ବେଳେ ଏହାର ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ପଡ଼ିବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଯଦି ଏହି ଟିକା ସମୟ ଭିତରେ ପ୍ରସ୍ତୁତ ହୋଇଯାଉଛି ତାହେଲେ ଏହା ବେଶ୍ ଫଳପ୍ରଦ ହେବ ବୋଲି ଆଶଙ୍କା କରିଛନ୍ତି କେନ୍ଦ୍ର ସରକାର । ଏହି ସମ୍ପର୍କରେ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟକୁ କୁହାଯାଇଛି ଯେ, ଜାଇଡସ୍ କାଡିଲା ପିଲାଙ୍କ ନିମନ୍ତେ ଟିକା ପ୍ରସ୍ତୁତ କରିସାରିଛି । କ୍ଲିନିକାଲ୍ ଟ୍ରାଏଲ୍ ମଧ୍ୟ ସରିଛି । ଏବେ କେବଳ ମଞ୍ଜୁରୀ ଅପେକ୍ଷା ରହିଛି ଏହି ଫାର୍ମା କମ୍ପାନୀ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାର ୩୭୫ ପୃଷ୍ଠାର ଏକ ଆଫିଡେଭିଟ୍ ରେ କହିଛି ଯେ, ସରକାର ବିଭିନ୍ନ କୋଭିଡ୍ ଟିକାର ୧୩୫ କୋଟି ଡୋଜ୍ କ୍ରୟ କରିବାକୁ ଚେଷ୍ଟା କରୁଛନ୍ତି । ଏଥିରେ କୋଭିସିଲଡ ୫୦ କୋଟି ଡୋଜ୍, କୋଭାକ୍ସିନ୍ ୪୦ କୋଟି ଡୋଜ୍, ସ୍ଫୁଟନିକ୍-ଭି ଟିକା ୧୦ କୋଟି ଡୋଜ୍ ଏବଂ ଜୋଇଡସ୍ କାଡିଲା ୫ କୋଟି ଡୋଜ୍ ସାମିଲ ରହିଛି । ଏହିସବୁ ଚଳିତ ବର୍ଷ ଅଗଷ୍ଟ ରୁ ଡିସେମ୍ବର ମାସ ମଧ୍ୟରେ କ୍ରୟ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.