fbpx

‘ବିଜୁଳି’ ବୃଦ୍ଧି ପାଇଁ ବୁଧବାରରୁ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର: ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଚାଲିଛି । ଏଭଳି ସ୍ଥିତିରେ ରାଜ୍ୟରେ ବିଜୁଳି ଦର ମଧ୍ୟ ବୃଦ୍ଧି ପାଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଉ ବୁଧବାରଠାରୁ ବିଜେପି ଆନ୍ଦୋଳନ କରିବ । ବିଭାଗୀୟ ଅଫିସ ଆଗରେ ବିଜେପି ବିକ୍ଷୋଭ କରି ପ୍ରତିବାଦ କରିବ । ଏ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ବିଜୁଳି ଦର ବଢ଼ି ଚାଲିଛି । ୟୁନିଟ ପିଛା ୫୦ ପଇସାର ବୃଦ୍ଧି ସାଧାରଣଙ୍କୁ ବୋଝ ହୋଇଛି । ରାଜ୍ୟରେ ସରକାର ସେବା କମ୍ ଦେଇ ଅଧିକ ଟିକସ ଲୋଭ କରୁଛନ୍ତି । ସେହିପରି ଅଘୋଷିତ ବିଦ୍ୟୁତ କାଟ ଫଳରେ ଲୋକେ ହଇରାଣ ହେଉଛନ୍ତି । ପିଲାମାନେ ଅନଲାଇନରେ ପାଠ ପଢ଼ିବା ପାଇଁ କଲବଲ ହେଉଛନ୍ତି । ରାଜ୍ୟ ସରକାରଙ୍କ ଭୁଲ୍ ବିଦ୍ୟୁତ୍ ନୀତି ଯୋଗୁଁ ଚାଷୀ, ଶିଳ୍ପ, ଅଣୁ ଶିଳ୍ପ ଉଦ୍ୟୋଗୀ ମଧ୍ୟ ସମସ୍ୟାରେ ପଡୁଛନ୍ତି । ସେହିପରି ସରକାର ଶୀତଳ ଭଣ୍ଡାର ଗୁଡ଼ିକୁ ସବସିଡି ଦେବେ ବୋଲି କହି ନଦେବା ଫଳରେ ସେସବୁ ସମ୍ପୂର୍ଣ ବନ୍ଦ ହୋଇଗଲା । ସବୁକୁ ଦୃଷ୍ଟିରେ ରଖି ବିଜୁଳି ଦର ବୃଦ୍ଧି ପାଇଁ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ରାଜ୍ୟ ସରକାର ସ୍ୱୀକାର ମଧ୍ୟ କରିଥିଲେ ଏବଂ ରିଭ୍ୟୁ ପିଟିସନ ଦେବେ ବୋଲି କହିଥିଲେ । କିନ୍ତୁ କିଛି ସୁଫଳ ମିଳିନି ବୋଲି ବିଜେପି ଅଭିଯୋଗ କରିଛି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ପ୍ରାଇଭେଟ ଡିସକୋମ, ବଡ଼ ବଡ଼ କମ୍ପାନୀ ଓ ସରକାରୀ କଲେଜ ଉପରେ ବିଜୁଳି ବିଲ ୪୦୦୬ କୋଟି ଟଙ୍କା ବାକି ପଡ଼ିଛି । ହେଲେ ଗରିବ ଖାଉଟି ଉପରେ ସରକାର ଅତ୍ୟାଚାର କରୁଛନ୍ତି । ବାହାର ରାଜ୍ୟକୁ ୩ ଟଙ୍କା ୨୧ ପଇସାରେ ବିଜୁଳି ବିକୁଛନ୍ତି ଓ ୩ ଟଙ୍କା ୮୧ରେ କିଣୁଛନ୍ତି । ସେପଟେ ଆନ୍ଧ୍ର, ଗୋଆ, ସିକିମରେ ବିଜୁଲି ଦର କମ୍ ରହିଛି । ସେହିପରି ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଅଛି । କିନ୍ତୁ ଓଡ଼ିଶାରେ ଲୋକେ ଶୋଷିତ ହେଉଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.