fbpx

କୋଟିପତି ପିଏସ୍ ବିରଞ୍ଚି ନେଟୱର୍କରେ କମିସନରେଟ୍ ପୋଲିସ୍!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣାର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ‘ଟଙ୍କା ଦିଅ ଚାକିରି ନିଅ’ର ଜାଲ କେମିତି ବୁଣିଥିଲେ ବିରଞ୍ଚି ତାର ଏକ ନୂଆ ଫର୍ଦ୍ଦ ପୁଣି ଯୋଡ଼ିହୋଇଛି । ବିରଞ୍ଚି ଟଙ୍କା ନେଇ ଚାକିରି ଦେବାକୁ କମିସନରେଟ ପୋଲିସ କର୍ମଚାରୀଙ୍କୁ ବ୍ୟବହାର କରିଥିବା ସାଙ୍ଘାତିକ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ବ୍ରହ୍ମଗିରି ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ।

ଅଭିଯୋଗ ଅନୁସାରେ ବ୍ରହ୍ମଗିରିର ଶ୍ରୀନିବାସ ଦଳାଇ ୨୦୧୬ରେ ପୋଲିସ ବିଭାଗରେ ଚାକିରି ପାଇଁ ପରୀକ୍ଷା ଦେଇଥିଲେ । ନିଜ ଉପରେ ଆତ୍ମବିଶ୍ୱାସ ଥିଲା କି ସେ ପାସ କରିବେ । କିନ୍ତୁ ସେହି ସମୟରେ କମିସନରେଟ ପୋଲିସରେ କନଷ୍ଟେବଳ ଥିବା କଂଗ୍ରେସ ଜେନା ନାମକ ଯୁବକ ତାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ଚାକିରି ମିଳିବ ବୋଲି ପ୍ରବର୍ତ୍ତାଇଥିଲେ । ତାଙ୍କର ତତ୍କାଳୀନ ପିଏସ୍ ବିରଞ୍ଚି ସାହୁଙ୍କ ସହ ଭଲ ସମ୍ପର୍କ ରହିଥିଲା ଏବଂ ଟଙ୍କା ନେଇ ବିରଞ୍ଚିକୁ ଦେବେ ବୋଲି ସେ କହିଥିବା ଶ୍ରୀନିବାସ ଅଭିଯୋଗ କରିଛନ୍ତି । ତେବେ ଏହା ପରେ ତାଙ୍କର ଚାକିରି ହୋଇନଥିଲା ଏବଂ ସେ ଆରଟିଆଇରେ ତଥ୍ୟ ମଗାଇଥିଲେ । ତଥ୍ୟ ଅନୁଯାୟୀ ସେ କଟଅଫ୍ ମାର୍କ ଠାରୁ ୨ ମାର୍କ ଅଧିକ ରଖିଥିବା ବେଳେ ତାଙ୍କୁ ଚାକିରି ମିଳିନଥିଲା । ଏନେଇ ସେ ଓଏସଏସସି କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କିଛି ଫଳ ନମିଳିବାରୁ ସ୍ୟାଟ୍ ଏବଂ ଏବେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଆଉ ବିରଞ୍ଚି ଧରାପଡ଼ିବାରୁ ସେ ସାମ୍ନାକୁ ଆସିଥିବା କହିଛନ୍ତି ।

ସେପଟେ ଭିଜିଲାନ୍ସ ନେଇଥିବା ୪ ଦିନିଆ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହେବାକୁ ଯାଉଛି । ୪ ଦିନରେ ଗୋଟି ଗୋଟି କରି ବିରଞ୍ଚି ଅନେକ କିଛି ତଥ୍ୟ ଓଗାଳିଛି । ଗୁରୁବାର ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ପିଏସ ବିରଞ୍ଚି ସାହୁକୁ ରୁଟିନ ଚେକପ ପାଇଁ ପୋଲିସ ବଳୟ ଭିତରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଭିଜିଲାନ୍ସ ରିମାଣ୍ଡ ଅବଧି ଶେଷ ହେଲା ପରେ ଆହୁରି ଗୁଡ଼ିଏ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.