fbpx

କରୋନା ବିରୋଧୀ ଯୁଦ୍ଧରେ ବଡ଼ ସଫଳତା, ଦେଶରେ ୨୦୩ ଦିନରେ ଦିଆଗଲା ୫୦ କୋଟି ଟିକା ଡୋଜ୍

ନୂଆଦିଲ୍ଳୀ: କରୋନା ବିରୋଧୀ ଯୁଦ୍ଧରେ ଦେଶ ଏକ ବଡ଼ ସଫଳତା ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟି ଡୋଜ କରୋନା ଟିକା ଦିଆଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶୁକ୍ରବାର ଏହା ଘୋଷଣା କରିଛନ୍ତି । ୨୦୩ ଦିନ ମଧ୍ୟରେ ଦେଶ ଏହି ସଫଳତା ହାସଲ କରିଛି । ଏହି ଟିକାକରଣ ଅଭିଯାନ ଚଳିତ ବର୍ଷ ୧୬ ଜାନୁଆରୀରେ ଆରମ୍ଭ କରାଯାଇଥିଲା। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ୨୪ ଲକ୍ଷରୁ ଅଧିକ ଡୋଜ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଏନେଇ ଏକ ଟ୍ୱିଟ କରି କହିଛନ୍ତି ଯେ, କରୋନା ବିରୋଧରେ ଭାରତର ଯୁଦ୍ଧ ଗତିଶୀଳ ହୋଇଛି। ଟିକାକରଣ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ଆଶା କରୁଛୁ ଏହି ସଂଖ୍ୟା ବୃଦ୍ଧି ହେବ, ଏବଂ ‘ମାଗଣା ଟିକା ଅଭିଯାନ’ ଅଧୀନରେ ସମସ୍ତ ନାଗରିକଙ୍କ ଟିକାକରଣ ନିଶ୍ଚିତ କରାଯିବ ।

ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, କରୋନା ବିରୋଧରେ ଲଢ଼େଇରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି, ଟିକାକରଣରେ ଦେଶ ୫୦ କୋଟି ମାର୍କ ଅତିକ୍ରମ କରିଛି । ସମସ୍ତଙ୍କୁ ଅଭିନନ୍ଦନ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ।

 

ଚଳିତ ବର୍ଷ ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦେବା ପାଇଁ ସରକାର ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସରକାର ଯଥାସମ୍ଭବ ଲୋକଙ୍କୁ ଅତି କମରେ ଗୋଟିଏ ଡୋଜ ଟିକା ଦେବାକୁ ଚାହୁଁଛନ୍ତି । ଆସନ୍ତା ମାସ ସୁଦ୍ଧା ୧୮ ବର୍ଷରୁ କମ୍ ପିଲାମାନଙ୍କୁ ଟିକାକରଣ ପାଇଁ ଅନୁମୋଦନ ହେବାର ସମ୍ଭାବନା ଅଛି ।

Get real time updates directly on you device, subscribe now.