fbpx

ଜାଭଲିନ୍ କିଣିବାକୁ ଓ କୋଚ୍ ରଖିବାକୁ ନୀରଜଙ୍କ ପାଖରେ ନଥିଲା ଟଙ୍କା, ଏମିତି ଥିଲା ସ୍ୱର୍ଣ୍ଣ ପଦକ ପର୍ଯ୍ୟନ୍ତ ଯାତ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ୨୦୨୧କୁ ସ୍ୱର୍ଣ୍ଣିମ ଇତିହାସରେ ପରିଣତ କରିଛନ୍ତି ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକର ଶେଷ ଇଭେଣ୍ଟ ଜାଭଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ପଦକ ଉପହାର ଦେଇଥିବା ନୀରଜ ଚୋପ୍ରାଙ୍କ ଚର୍ଚ୍ଚା ଏବେ ସବୁଠି । କ୍ରୀଡ଼ା ଜଗତରେ ଗତକାଲିର ତାରିଖ ଥିଲା ଅବିସ୍ମରଣୀୟ । ସମସ୍ତଙ୍କ ଆଖି ଥିଲା ନୀରଜଙ୍କ ଉପରେ । ପୂରା ଦେଶ ଆଶା ରଖିଥିଲା ଯେ, ଭାରତକୁ ସ୍ୱର୍ଣ୍ଣ ପଦକ ନିଶ୍ଚୟ ଆଣିବେ ନୀରଜ । ଆଉ ତାହା ସଫଳ ମଧ୍ୟ ହେଲା । ସ୍ୱର୍ଣ୍ଣ ପଦକ ଜିତି ଦେଶପାଇଁ ଗର୍ବ ଆଣିଦେଇଥିଲେ ହରିୟାଣାର ପୁଅ ନୀରଜ । ତେବେ ନୀରଜ ଏମିତିରେ ହିଁ ଗୋଲ୍ଡେନ୍ ବୟ୍ ହୋଇନାହାନ୍ତି ବରଂ ତା ପଛରେ ରହିଛି ଏକ କଠିନ ସଂଘର୍ଷର କାହାଣୀ । ସ୍ୱର୍ଣ୍ଣ ପଦକ ଜିତି କୋଟି କୋଟି ଟଙ୍କା ପୁରସ୍କାର ପାଇଥିବା ନୀରଜଙ୍କ ପାଖରେ ଦେଢ଼ ଲକ୍ଷ ଟଙ୍କାର ଜାଭଲିନ୍ କିଣିବାକୁ ଏବଂ କୋଚ୍ ରଖିବାକୁ ବି ଟଙ୍କା ନଥିଲା । ହେଲେ ନିଜର ଏହି ଅଭାବକୁ ନିଜର ପରିଶ୍ରମର ବଳରେ ପୂରଣ କରି ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଇଣ୍ଡିଭିଜୁଆଲ୍ ଗୋଲ୍ଡ ମେଡାଲିଷ୍ଟ ଭାବରେ ନୀରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ । ଏହାପୂର୍ବରୁ ୨୦୦୮ରେ ସୁଟିଂରେ ଅଭିନବ ବିନ୍ଦ୍ରା ଇଣ୍ଡିଭିଜୁଆଲ୍ ଗୋଲ୍ଡ ନିଜ ନାମରେ କରିଥିଲେ ।

ହରିୟାଣାର ପାନୀପତର ଖଣ୍ଡରା ଗାଁରେ ରହୁଥିବା ନୀରଜ ବୁଧବାର ଦିନ ପ୍ରଥମ ପ୍ରୟାସରେ ସର୍ବାଧିକ ୮୫.୬୫ ମିଟର୍ ଜାଭଲିନ୍ ଫିଙ୍ଗି ସିଧାସଳଖ ଫାଇନାଲ୍ ରେ ଜାଗା ବନାଇଥିଲେ । ପୂରା ଦେଶର ନଜର ରହିଥିଲା ଅଗଷ୍ଟ ୭ ତାରିଖ ଉପରେ । ଆଉ ଏଥିରେ ସେ ୮୭.୫୮ ମିଟର୍ ଦୂରରେ ଜାଭଲିନ୍ ଫିଙ୍ଗି ଭାରତକୁ ମେଡାଲ୍ ଜିତାଇବାର ଆଶାକୁ ମଜବୁତ୍ କରାଇଥିଲେ । ଏହାପରେ କେହି ବି ତାଙ୍କ ରେକର୍ଡକୁ କାଟି ପାରିନଥିଲେ । ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଜାକଭ୍ ବେଦଲେକ୍ ୮୬.୭୬ ମିଟର୍ ଦୂରରେ ଜାଭଲିନ୍ ଫିଙ୍ଗିଥିଲେ ।

ଅଲିମ୍ପିକ୍ ଇତିହାସରେ ଆଥଲେଟିକ୍ସରେ ଦେଶକୁ ପ୍ରଥମ ଗୋଲ୍ଡ ଦେଇଥିବା ନୀରଜ, ଏହି ପଦକକୁ ସ୍ୱର୍ଗତ ମିଲ୍ଖା ସିଂଙ୍କୁ ସମର୍ପଣ କରିଛନ୍ତି । ନୀରଜ କହିଥିଲେ ଯେ, ମିଲ୍ଖା ସିଂଙ୍କ ଇଚ୍ଛା ରହିଥିଲା ଯେ, ଷ୍ଟାଡିୟମ୍ ରେ ଭାରତର ଜାତୀୟ ସଂଗୀତ ଗାନ କରାଯାଉ ଏବଂ ତାହା ଗତକାଲି ସାକାର ମଧ୍ୟ ହୋଇଥିଲା । ବର୍ତ୍ତମାନ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଏଥିସହିତ ଅନେକ ଆଡ଼ୁ ତାଙ୍କ ପାଖକୁ ଟଙ୍କା ବର୍ଷା ହେବାରେ ଲାଗିଛି । ହରିୟାଣା ସରକାର ନୀରଜଙ୍କୁ ୬ କୋଟି ଟଙ୍କାର ଉପହାର ଦେବା ନେଇ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.