fbpx

୪୮ ଘଣ୍ଟା ମଧ୍ୟରେ ରାଜନୀତି ହୋଇଯିବ ଅପରାଧମୁକ୍ତ, ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ: ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ରାଜନୀତିକ ଦଳମାନେ ସେମାନଙ୍କର ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ଅପରାଧିକ ରେକର୍ଡ ସାର୍ବଜନୀନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରାର୍ଥୀ ଚୟନର ୪୮ ଘଣ୍ଟା ଭିତରେ ବା ନାମାପତ୍ର ଦାଖଲ କରିବାର ଦୁଇ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କର ସମସ୍ତ ତଥ୍ୟ ଅପଲୋଡ୍ କରିବା ନେଇ ପୂର୍ବରୁ ବିହାର ନିର୍ବାଚନ ସମୟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ଏହି ସମୟସୀମାକୁ କେବଳ ୪୮ ଘଣ୍ଟା ମଧ୍ୟରେ ସୀମିତ ରଖାଯାଇଥିବା ଜଣାପଡ଼ିଛି।

ଜଣାପଡ଼ିଛି ଯେ, ବର୍ତ୍ତମାନ ଦେଶର କିଛି ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀଙ୍କର ଅପରାଧୀକ ପୃଷ୍ଠଭୂମିର ଖୁଲାସା କରୁନାହାନ୍ତି । ତେଣୁ ସଂପୃକ୍ତ ଦଳଗୁଡ଼ିକର ନିର୍ବାଚନୀ ଚିହ୍ନକୁ ହଟାଇବା ନିମନ୍ତେ ଦାବି କରାଯାଇଛି । ବର୍ତ୍ତମାନ ଦେଶର ସର୍ବୋଚ୍ଚ ଅଦାଲତ ଏହି ଯାଚିକା ଉପରେ ଶୁଣାଣି କରୁଛନ୍ତି । ୨୦୨୦ ଫେବୃଆରୀରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ରାଜନୈତିକ ଦଳମାନେ ଅବମାନନା କରିଛନ୍ତି । ସେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ, ରାଜନୈତିକ ଦଳମାନେ ସେମାନଙ୍କର ପ୍ରାର୍ଥୀଙ୍କୁ ଚୟନ କରିବାର କାରଣ ସ୍ପଷ୍ଟ କରିବା ସହ ମାମଲାର ବିବରଣୀ ପାର୍ଟିର ୱେବସାଇଟରେ ଦାଖଲ କରିବେ । ଏହାବ୍ୟତୀତ ନିର୍ବାଚନ କମିଶନ ମଧ୍ୟ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ସମସ୍ତ ତଥ୍ୟ ସମ୍ବାଦପତ୍ରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିହାର ନିର୍ବାଚନ ସମୟରେ ନିୟମ ଅବମାନନା କରିଥିବାରୁ ସିପିଆଇ(ଏମ) ଓ ଏନସିପି ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.