fbpx

ଏହା ଦୁଃଖ ନୁହେଁ ତା’ଠାରୁ ଖୁବ୍ ଭୟଙ୍କର: ଆଫଗାନିସ୍ତାନବାସୀଙ୍କ ମୃତ୍ୟୁ ପୂର୍ବର ସଂଘର୍ଷକୁ ଦେଖୁଛି ସାରା ଦୁନିଆ (ଫଟୋ ଦେଖନ୍ତୁ)

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବର୍ତ୍ତମାନ ସାଧାରଣ ଜନତାଙ୍କ ଦୁଃଖ ବିଷୟରେ କହିବାକୁ ସତେ ଯେମିତି ଅଭିଧାନରେ ଭାଷା ନାହିଁ । ମୃତ୍ୟୁ ପୂର୍ବରୁ ଜଣେ ମଣିଷ ଯେପରି କିଛି ବି ଖାଇବାକୁ ବିକଳ ହୁଏ, ଅନୁରୂପ ଭାବେ ଆଫଗାନିସ୍ତାନବାସୀ ହେଲିକପ୍ଟରରେ ନିଜର ଦୁଇଟି ପାଦ ରଖିବାକୁ ଟିକିଏ ସ୍ଥାନ ଖୋଜୁଛନ୍ତି । ବିଧିର ବିଧାନ କି ବିଚିତ୍ର, ସେତିକି ବି ମିଳୁନାହିଁ । ଯେମିତି ହେଉ ତାଲିବାନ କବଳରୁ ଖସି ଯମଦୂଆରୁ ରକ୍ଷା ପାଇବାକୁ ବ୍ୟଗ୍ର ସାଧାରଣଲୋକେ । ତାଲିବାନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ହିଂସାତ୍ମକ ବାର୍ତ୍ତା ନ ଆସିଥିଲେ ହେଁ ଆହତ ସୁପ୍ତ ସିଂହର ଅସଲ ଚେହେରା ବହୁ ବର୍ଷ ପୂର୍ବରୁ ସେଠାକାର ନାଗରିକ ଅଙ୍ଗେ ନିଭାଇ ସାରିଛନ୍ତି । ଏପରିକି ଗତକାଲି କିଛି ଲୋକ ପ୍ରାଣ ବିକଳରେ ବିମାନରେ ଓହଳି ନିଜ ଜୀବନକୁ ବଞ୍ଚାଇକୁ ଚେଷ୍ଟା କରି ଅଧାବାଟରେ ଖସି ପଡ଼ି ମୃତ୍ୟୁବରଣ କରିଥିଲେ । ଟ୍ରକରେ ପଲ ପଲ ଗାଈଗୋରୁ, ବସ୍ତା ବସ୍ତା ଧାନ ଯେପରି ଗୋଟିଏ ଉପରେ ଆଉ ଗୋଟିଏ ଲଦାଯାଇ ବୁହାଯାଏ, କାବୁଲର ଲୋକଙ୍କ ଅବସ୍ଥା ସେଭଳି ହୋଇଯାଇଛି ।

ପ୍ରତି ମିନିଟରେ ଆଫଗାନିସ୍ତାନର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଆମେରିକା ସେନା ପ୍ରତ୍ୟାହାର ପରେ ସମଗ୍ର ଆଫଗାନିସ୍ତାନରେ ଆଜି ତାଲିବାନ୍ ରାଜ୍ ପୁଣି ଆରମ୍ଭ ହୋଇଛି । ଆଜି ଆଫଗାନିସ୍ତାନର ଆବାଳ ବୃଦ୍ଧ ବନିତା ସମସ୍ତେ ତାଲିବାନ ପରି ଯମ ଦାଉରୁ ଖସିବାକୁ ଚେଷ୍ଟା କରୁଛନ୍ତି । ପ୍ରଦର୍ଶିତ ଫଟୋଗୁଡ଼ିକ ଜଣେ ସାମ୍ବାଦିକ ଟ୍ୱିଟରରେ ଶେୟାର କରିଛନ୍ତି । ଫଟୋ କହୁଛି ସେଠାକାର ବାସ୍ତବ ପରିସ୍ଥିତି । ଗୋଟିଏ ବିମାନ ଭିତରେ ଏତେ ସଂଖ୍ୟାରେ ଲୋକ ଭରି ରହିଛନ୍ତି, ଯେ କେହି ବି ବିଶ୍ୱାସ କରିପାରିବ ନାହିଁ ଏହା ଏକ ବିମାନ ବୋଲି । ୧୩୦ ଜଣ ଲୋକଙ୍କୁ ବହନ କରିବାର କ୍ଷମତା ଥିବା ବିମାନରେ ୬୦୦ ଲୋକ ଭରି ହୋଇଥିଲେ ଜୀବନ ବଞ୍ଚାଇବା ପାଇଁ । ମାସ ମାସ ଧରି ଖାଇନଥିବା ଜଣେ ସାଧାରଣ ମଣିଷର ଅବସ୍ଥା ଯାହା ହେଉଥିବ, ସେହିପରି ଅବସ୍ଥା ହେଉଛି ସେଠାକାର ଲୋକଙ୍କର । ବିମାନକୁ ଦେଖି ସେମାନେ ମୃତ୍ୟୁଜୟୀ ଭାବେ ତା’ ପଛରେ ବିଗଳ ହୋଇ ଦୌଡ଼ୁଛନ୍ତି କେବଳ ଟିକିଏ ଆଶ୍ରୟ ଆଶାରେ । ଆଫଗାନ୍ ବାସୀ ଜାଣି ସାରିଛନ୍ତି, ଏହାପରେ ସେମାନଙ୍କର ଅବସ୍ଥା କ’ଣ ହେବ । ତେଣୁ ସେମାନେ ଘରଦ୍ୱାର, ଟଙ୍କା ପଇସା, ଆସବାବପତ୍ର ସବୁ ତ୍ୟାଗ କରି ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ବାପା କେଉଁଠି, ମାଆ କେଉଁଠି, ପୁଅଝିଅ କେଉଁଠି, କାହାର ହିସାବ ନାହିଁ । ଯିଏ ପାରିଲା ନିଜ ନିଜର ଜୀବନ ବଞ୍ଚାଇବାରେ ବ୍ୟସ୍ତ । ସତରେ କ’ଣ ଏହାର ଅନ୍ତ ନାହିଁ? ଏହି ପରିପ୍ରେକ୍ଷୀରେ ମିଳିତ ଜାତିସଂଘ, ବିଶ୍ୱର ସମସ୍ତ ରାଷ୍ଟ୍ର ଆଫଗାନିସ୍ତାନ ଘଟଣାରେ ହସ୍ତକ୍ଷେପ କରି ସାଧାରଣ ଜନତାଙ୍କୁ ଯମଦୂଆରୁ ଫେରାଇ ଆଣିବାକୁ ଅନୁରୋଧ ।

Get real time updates directly on you device, subscribe now.