fbpx

ତାଲିବାନ ପାଇଁ ଶକ୍ତିଶାଳୀ ହୋଇଉଠିବ ପାକିସ୍ତାନ, କଶ୍ମୀରରେ ବୃଦ୍ଧି ପାଇବ ଅଶାନ୍ତି: ବର୍ତ୍ତମାନ ସ୍ଥିତିରେ ଭାରତକୁ ବଦଳାଇବାକୁ ପଡ଼ିବ ରଣନୀତି

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱର ଫୋକସ୍ ଆଫଗାନିସ୍ତାନ ଉପରେ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ଜନସାଧାରଣ ବିକଳରେ ଦେଶ ଛାଡ଼ିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ସେଠାରେ ଫସି ରହିଥିବା କିଛି ଭାରତୀୟ ନାଗରିକଙ୍କୁ ମଧ୍ୟ ବିମାନ ଯୋଗେ ସ୍ୱଦେଶକୁ ଅଣାଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୂର୍ବରୁ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଥିବା ଭାରତର ଅବସ୍ଥା କ’ଣ ହେବ? କାରଣ ଆତଙ୍କବାଦର ମୂଳ ଚେର ପାକିସ୍ତାନ ଓ ଆଫଗାନିସ୍ତାନରୁ ହିଁ ସୃଷ୍ଟି । ତାଲିବାନର ପୁଣି ଫେରିବା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ । ଆଗକୁ ଲସ୍କର-ଇ-ତେଏବା ଓ ଜୈସ-ଇ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନ ଭାରତର ଚିନ୍ତା ବଢ଼ାଇ ପାରନ୍ତି । ତାଲିବାନ କ୍ଷମତାକୁ ଫେରିବାର ଅର୍ଥ ହେଉଛି, ଆଫଗାନିସ୍ତାନରେ ପାକିସ୍ତାନର ସେନା ଓ ଗୁପ୍ତଚର ସଂସ୍ଥାଗୁଡ଼ିକ ସକ୍ରିୟ ହୋଇଉଠିବେ । ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିଜର ରଣନୀତିରେ ପରିବର୍ତ୍ତନ କରିବା ଉଚିତ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି ।

ଆଫଗାନିସ୍ତାନ ସଙ୍କଟ ବିଶ୍ୱ ପାଇଁ ଯାହା ହେଉନା କାହିଁକି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ତାଲିବାନର ନିକଟତର ହେବା ଅର୍ଥ କଶ୍ମୀରରେ ଅଶାନ୍ତି ବୃଦ୍ଧି ପାଇବା । ଗତ ଦଶନ୍ଧି ମଧ୍ୟରେ ଭାରତ-ଆଫଗାନ ପରସ୍ପର ସହ ମିଶି ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ । ଆଫଗାନିସ୍ତାନର ନୂଆ ସଂସଦ ଭବନ ନିର୍ମାଣ ବେଳେ ଭାରତ ପ୍ରାୟ ୨୨ ହଜାର କୋଟି ସହାୟତା ପ୍ରଦାନ କରିଥିଲା । ଏନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର କହିଛନ୍ତି ଯେ, ସାଂପ୍ରତିକୁ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଆମେରିକାର ମାୟାଜାଲରୁ ମୁକୁଳି ନିଜର ନୀତି ନିର୍ଦ୍ଧାରଣ କରିବା ଦରକାର । ତାଲିବାନକୁ ନେଇ ଭାରତର ନୀତି ସକାରାତ୍ମକ ହେବା ଉଚିତ । ୨୦୦୧ ହମଲା ପରେ ଦୁଇ ଦଶନ୍ଧି ପରେ ଆମେରିକା ନିଜର ସମସ୍ତ ସୈନିକ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିନେଇଛି । ମାତ୍ର ଆମେରିକା ଯେଉଁ ଲକ୍ଷ୍ୟ ନେଇ ଏହି ମିଶନ ଆରମ୍ଭ କରିଥିଲା, ତାହା ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ହୋଇଥିଲା । ପୁଣି ଥରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡ଼କୁ ମୁହାଁଉଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନରେ ମହିଳାଙ୍କୁ ଅଧିକାର ପ୍ରଦାନ, ପ୍ରଗତିଶୀଳ ସମାଜ, ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ ଆଦି କ୍ଷେତ୍ରରେ ଆମେରିକା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଆଫଗାନିସ୍ତାନରେ ତାଲିବାନଙ୍କ ରାଜନୈତିକ ଓ ସୈନ୍ୟ ଶକ୍ତି ରହିଥିବା ଚୀନ ସ୍ୱୀକାର କରିସାରିଥିବା ବେଳେ ଭାରତକୁ ଏହା ମଧ୍ୟ ସ୍ୱୀକାର କରିବା ଦରକାର ବୋଲି ସେ କହିଥିଲେ । ତାଲିବାନ ଭାରତ-ପାକ ଦ୍ୱିପାକ୍ଷିକ ସମ୍ପର୍କରେ ହସ୍ତକ୍ଷେପ କରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି । ତେଣୁ ଭାରତ ଚୀନ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେଲେ ସୁଫଳ ପ୍ରାପ୍ତି ହୋଇପାରନ୍ତା ବୋଲି ମଧ୍ୟ କିଛି ବିଶେଷଜ୍ଞ ମତ ଦେଇଛନ୍ତି ।

Get real time updates directly on you device, subscribe now.