fbpx

ଆଫଗାନ୍ ପାଇଁ ବାଇଡେନଙ୍କୁ ଅଙ୍ଗୁଳି ଉଠାଇଲେ ହଲିଉଡ୍ ଆକ୍ଟ୍ରେସ୍, କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: କି ଖେଳ ଖେଳୁଛ ବାଇଡେନ୍? ଏମିତି ପ୍ରଶ୍ନବାଣରେ ପୋତି ପକାଇଛନ୍ତି ହଲିଉଡ୍ ଆକ୍ଟ୍ରେସ । ଆଫଗାନିସ୍ତାନରେ ଜନ୍ମିତ ହଲିଉଡର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଅଜିତା ଘନିଜାଦା ସମ୍ପ୍ରତି ଆଫଗାନର ସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତାଲିବାନୀଙ୍କ ଅକ୍ତିଆର ପରେ ପରେ ପୂରା ଆଫଗାନିସ୍ତାନର ରୂପ-ରେଖ ବଦଳି ଯାଇଛି । ଏଭଳି ସଂକଟଜନକ ସ୍ଥିତି ପାଇଁ ସାରା ବିଶ୍ୱର ନଜର ଆଫଗାନବାସୀଙ୍କ ଉପରେ । ଆତଙ୍କର ବଳୟ ଭିତରେ ଛନ୍ଦି ହୋଇ ବିକଳ ଚିତ୍କାର କରୁଥିବା ଆଫଗାନିସ୍ତାନର ଲୋକଙ୍କ ଦୟନୀୟ ସ୍ଥିତି ପାଇଁ କିଏ ଦାୟୀ? ଏଭଳି ପ୍ରଶ୍ନ କରିବା ସହ ଅଜିତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ହଲିଉଡ୍ ଅଭିନେତ୍ରୀ ଅଜିତା ସୋସିଆଲ୍ ମିଡିଆରେ ଏଭଳି ଅନେକ ପୋଷ୍ଟ ଶେଆର୍ କରିଛନ୍ତି । ଯେଉଁଥିରେ ସେ ଆଫଗାନିସ୍ତାନର ଦୟନୀୟ ସ୍ଥିତି ଓ ଆତଙ୍କୀ ତାଲିବାନୀଙ୍କ ରାଜ୍ ସମ୍ପର୍କରେ ଟିପ୍ପଣୀ ଦେଇଛନ୍ତି । ସେମିତି ଏକ ପୋଷ୍ଟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କି ପ୍ରକାର ଖେଳ ଖେଳୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ସେହିପରି ଆଫଗାନ ମହିଳାଙ୍କୁ ଦିଆଯାଉଥିବା ଅକଥନୀୟ ନିର୍ଯାତନା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମୌଳବାଦ ଚିନ୍ତାର ବୋଝ ଲଦି ଦିଆଯାଉଛି ମହିଳାଙ୍କ ଉପରେ । ମୁହଁରେ ହାତରେ ଗୋଡ଼ରେ ବେଡ଼ି ପକାଇ ଦିଆଯାଉଛି । ଖାଲି ଏତିକି ନୁହେଁ, ସ୍କୁଲ୍ ବନ୍ଦ ହେବା ପରେ ମଧ୍ୟ ଆଫଗାନ ପିଲାମାନେ କେମିତି ସ୍କୁଲ୍ରେ ପହଞ୍ଚିଥିଲେ ଏବଂ ଏୟାରପୋର୍ଟରେ ଜୀବନ ବିକଳର ଦୃଶ୍ୟ ଆଦି ସମ୍ପର୍କରେ ଅଜିତା ନିଜ ପୋଷ୍ଟଗୁଡ଼ିକରେ ଉଲ୍ଲେଖ କରିଛନ୍ତି । ଏଥିସହ ଅଜିତା ଅପିଲ କରିଛନ୍ତି ଯେ କାବୁଲରୁ ଲୋକଙ୍କୁ ଯିବା ପାଇଁ ପୂର୍ଣ୍ଣ ସୁଯୋଗ ଦିଆଯାଉ । ସେମାନଙ୍କ ରାସ୍ତାରେ କଣ୍ଟା ହୋଇ କେହି ଛିଡ଼ା ନହୁଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ଅଭିନେତ୍ରୀ ଅଜିତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେଆର୍ କରି ସେଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତି ପ୍ରଶ୍ନ ଉଠାଇଛନ୍ତି । ଅଜିତା କହିଛନ୍ତି ଯେ- ମୁଁ ଜୋ ବାଇଡେନଙ୍କ ସମର୍ଥନରେ ଭୋଟ ଦେଇଥିଲି ଏବଂ ସଂକଟ ପରିସ୍ଥିତିରେ ସେ ଚୁପ୍ ରହିଛନ୍ତି ।

Get real time updates directly on you device, subscribe now.