fbpx

ACF ଡେଥ୍ ମିଷ୍ଟ୍ରି: ଆଜି ସନ୍ଧ୍ୟାରେ ଜେରା ହେବେ ତହସିଲଦାର, ଜିଲ୍ଲାପାଳ ଓ ଡିଏଫଓ କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଚାରିଦିନ ପୂର୍ବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ଦାୟିତ୍ୱ ନେବା ପରେ ନୂଆ ଷ୍ଟାଇଲରେ ଆରମ୍ଭ ହୋଇଛି ତଦନ୍ତ । ପୂର୍ବରୁ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୌମ୍ୟଙ୍କ ପରିବାର ବର୍ଗ । ତେବେ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ତହସିଲଦାରଙ୍କୁ ଜେରା କରାଯିବ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ର । ସୌମ୍ୟଙ୍କୁ ପାରଳାଖେମୁଣ୍ଡି ମେଡିକାଲ ନିଆଯିବା ପରେ ସେଠାରେ ମାଜିଷ୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାର ଉପସ୍ଥିତ ରହିଥିଲେ । ତେବେ ସୌମ୍ୟଙ୍କ ଜମାନବନ୍ଦୀଙ୍କୁ ନେଇ ତହସିଲଦାରଙ୍କ ବୟାନ ଏହି ଘଟଣାରେ ଗୁରୁତ୍ୱ ବହନ କରୁଛି ।

ତେବେ ଗତକାଲି କ୍ରାଇମବ୍ରାଞ୍ଚ ଜେରା ବେଳେ ଡିଏଫଓଙ୍କ ଜଗୁଆଳି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ । ଘଟଣା ଦିନ ରାତି ୮ଟା ସମୟରେ ଜିଲ୍ଲାପାଳ ଡିଏଫଓଙ୍କ ଘରକୁ ଯିବା ସହ ଗୁରୁତର ସୌମ୍ୟଙ୍କୁ ମେଡିକାଲ ନିଆଯାଇଥିବା ବେଳେ ମଧ୍ୟ ଉପସ୍ଥିତ ରହିଥିଲେ । ଏତେଦିନ ଧରି ପୋଲିସ ତଦନ୍ତ କରୁଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନାମ ଏପର୍ଯ୍ୟନ୍ତ ଚର୍ଚ୍ଚାକୁ ଆସିନଥିଲା । ତେଣୁ ଏହି ବୟାନ ହୁଏତ ଆଗକୁ ନୂଆ ମୋଡ଼ ନେଇପାରେ । ତେବେ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଶ୍ରୀ ମିଶ୍ର କହିଛନ୍ତି । ତେବେ ଏହି ଘଟଣା ସହିତ ଡିଏଫଓଙ୍କ କ’ଣ ସମ୍ପର୍କ ରହିଛି, ତାହାକୁ ନେଇ ସଭିଙ୍କ ନଜର ରହିଛି ।

ସୂଚନାଯୋଗ୍ୟ ଯେ, ଆଜି ସୌମ୍ୟଙ୍କ ଚିକିତ୍ସା କରିଥିବା ଡାକ୍ତର ଅଭିଳାଷ ପଣ୍ଡା, କେ. ବେହେରା ଓ ପ୍ରମୋଦ କୁମାର ପଣ୍ଡାଙ୍କୁ ମାରାଥନ୍ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ କ୍ରାଇମବ୍ରାଞ୍ଚ ଆମ୍ବୁଲାନ୍ସ ଡ୍ରାଇଭର, ବନ କର୍ମଚାରୀ, ଜଗୁଆଳୀ, ରୋଷେୟା, ଫରେଷ୍ଟ ଗାର୍ଡ, ଏସିଏଫଙ୍କ ସହ ମୃତ୍ୟୁ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଜେରା କରିଥିଲା ।

Get real time updates directly on you device, subscribe now.