fbpx

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା; ଦୋଷ ମୁକ୍ତ ହେଲେ ଶଶୀ ଥରୁର

ନୂଆଦିଲ୍ଲୀ: ଦୋଷମୁକ୍ତ ହେଲେ ଶଶୀ ଥରୁର । କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁରଙ୍କୁ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ ଅଦାଲତ ସବୁ ମାମଲାରୁ ଦୋଷ ମୁକ୍ତ କରିଛନ୍ତି । ୨୦୧୪ରେ ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ହୋଇଥିଲା ।

ବୁଧବାର ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ଥରୁରଙ୍କୁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ସମସ୍ତ ଅଭିଯୋଗରୁ ଦୋଷ ମୁକ୍ତ କରିଛନ୍ତି । ୫୧ ବର୍ଷୀୟ ପୁଷ୍କରଙ୍କ ମୃତଦେହ ଦିଲ୍ଲୀର ଏକ ହୋଟେଲରେ ୨୦୧୪ ଜାନୁଆରୀ ୧୭ରେ ମିଳିଥିଲା । ଦିଲ୍ଲୀ ପୋଲିସ ଥରୁରଙ୍କ ବିରୋଧରେ ଦଫା ୩୦୬ ଏବଂ ୪୯୮ ଅନୁସାରେ ମାମଲା ରୁଜୁ କରିଥିଲା । ଥରୁରଙ୍କ ତରଫରୁ ଉପସ୍ଥିତ ଓକିଲ ବିକାଶ ପାହବା କହିଛନ୍ତି ଯେ ସ୍ୱତନ୍ତ୍ର ଯାଞ୍ଚ ଦଳ ଦ୍ୱାରା କରାଯାଇଥିବା ଯାଞ୍ଚରେ ଲଗାଯାଇଥିବା ଅଭିଯୋଗ ଉପରେ ପ୍ରମାଣ ମିଳିନାହିଁ ଏବଂ ତାଙ୍କୁ ସବୁ ଅଭିଯୋଗରୁ ମୁକ୍ତ କରାଯାଇଛି ।

ଥରୁର, ଥରୁରଙ୍କ ଓକିଲ ବିକାଶ ପାହବା ଏବଂ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଏହି ଆଦେଶ ଦେଇଛନ୍ତି । ଭର୍ଚୁଆଲ କୋର୍ଟର ଶୁଣାଣିରେ ଭାଗ ନେଇ ଅଦାଲତ ତାଙ୍କୁ ସବୁ ମାମଲାରୁ ମୁକ୍ତ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଥରୁର କହିଥିଲେ ସାତ ବର୍ଷ ଏକ ଯାତନା ଥିଲା । ମୁଁ ଆପଣଙ୍କ ନିକଟରେ ଋଣୀ ।

ଆରମ୍ଭରେ ଦିଲ୍ଲୀ ପୋଲିସ ପୁଷ୍କରଙ୍କ ମୃତ୍ୟୁକୁ ଏକ ହତ୍ୟା ମାମଲା ଭାବରେ ଯାଞ୍ଚ କରିଥିଲେ । ସରକାରୀ ଓକିଲ ଶ୍ରୀବାସ୍ତବ ଯୁକ୍ତି ରଖିଥିଲେ ଯେ ତାଙ୍କ ମୃତ୍ୟୁ ପୂର୍ବରୁ ପୁଷ୍କରଙ୍କ ଶରୀରରେ ଆଘାତ ଲାଗିଥିଲା ଯାହା ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା, ପୋଲିସ ଥରୁରଙ୍କୁ ମୁଖ୍ୟ ଅଭିଯୁକ୍ତ କହିଥିଲେ, ଏବଂ ଥରୁର ଏ ପର୍ଯ୍ୟନ୍ତ ଜାମିନ୍ ରେ ଥିଲେ ।

ଶଶୀ ଥରୁର ଏବଂ ସୁନନ୍ଦା ପୁଷ୍କରଙ୍କ ବିବାହ ୨୦୧୦ରେ ହୋଇଥିଲା । ଚାରି ବର୍ଷ ପରେ ପୁଷ୍କରଙ୍କ ମୃତ୍ୟୁକୁ ନେଇ ଅନେକ ରାଜନୈତିିକ ସମାଲୋଚନା ହୋଇଥିଲା ଖାସକରି ସେତେବେଳେ, ଯେତେବେଳେ ସେମାନଙ୍କର କିଛି ଟ୍ୱିଟର ପୋଷ୍ଟରେ ଦୁହିଁଙ୍କ ସମ୍ପର୍କରେ ଫାଟ ଥିବା ଜଣାପଡ଼ିଥିଲା । ପୁଷ୍କର ଥରୁରଙ୍କ ଉପରେ ପାକିସ୍ତାନୀ ପତ୍ରକାରଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ଆଣିଥିଲେ ।

 

Get real time updates directly on you device, subscribe now.