ନୂଆଦିଲ୍ଲୀ: ଜେଲ୍ ନାମ ଶୁଣିଲେ ସାଧାରଣ ଲୋକ ମାନେ ଭାବୁଥିବେ ଯେ, କଏଦୀ ମାନେ ଅନେକ ଅସୁବିଧାରେ ରଖାଯାଉଥିବେ । ପୋଲିସ୍ ମାନେ କଏଦୀ ମାନଙ୍କ ହାତରେ ଶିକୁଳି ବାନ୍ଧି ରଖୁଥିବେ । ହେଲେ ଆପଣ ମାନେ ବୋଧହୁଏ ଜାଣିନଥିବେ ଯେ, ଜେଲ୍ ର ସ୍ୱରୂପ ଏକଦମ୍ ବଦଳି ଯାଇଛି । ଜେଲ୍ ଏବେ ଆଉ ଜେଲ ହୋଇନାହିଁ ବରଂ ଏଠାରେ ରହୁଥିବା କଏଦୀ ମାନେ ଖୁବ୍ ଆରାମଦାୟକ ଜୀବନ ବିତାଉଛନ୍ତି । ବଡ଼ ବଡ଼ କ୍ରିମିନାଲ୍ ମାନେ ଜେଲରେ ରହି ଖୁବ୍ ଆୟସୀ କରୁଛନ୍ତି । ଏପରି କହିବାର କାରଣ ହେଲା କିଛି ଦିନ ହେବ ଦିଲ୍ଲୀର ତିହାଡ ଜେଲ୍ ଭିତରେ ରହୁଥିବା କଏଦୀଙ୍କୁ ଦେଖିଲେ ଏହାହିଁ କହିବେ ଯେ, ଅପରାଧି ମାନେ ବାହାରେ ନୂହେଁ ବରଂ ଜେଲ୍ ଭିତରେ ରହିବାକୁ ବଶେି ପସନ୍ଦ କରୁଛନ୍ତି ।
ଅଧିକାଂଶ ଗ୍ୟାଙ୍ଗଷ୍ଟାର୍ ଜେଲ୍ ଭିତରୁ ହିଁ ନିଜର କଳା ସାମ୍ରାଜ୍ୟକୁ ବିସ୍ତାର କରିବାରେ ଲାଗିଛନ୍ତି । ଜେଲର ଚାରି କାନ୍ଥ ଭିତରେ ଥିବା ଅପରାଧି ମାନେ ସେଠାରୁ ହିଁ କୋଟି କୋଟି ଟଙ୍କାର କାରବାର କରୁଛନ୍ତି ଏବଂ ମଦ ପାର୍ଟି କରୁଛନ୍ତି । ତେବେ କିପରି ଏସବୁ ଚାଲୁଛି ଜାଣନ୍ତୁ ଏହି ରିପୋର୍ଟରେ ।
ଦିଲ୍ଲୀର ରୋହିଣୀ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଏଆଇଏଡିଏମକେ ଦଳର ନିର୍ବାଚନ ମାମଲାର ଅଭିଯୁକ୍ତ। ଯାହାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସେ ରୋହିଣୀ ଜେଲରେ ରହି ୨୦୦ କୋଟି ଟଙ୍କା ଲୁଟିଥିଲେ ଏବଂ ଏହି ସମାନ ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଘର ଘର ବୁଲି କୋଟି କୋଟି ଟଙ୍କା ଓ ସମ୍ପତି ଜବତ କରିଥିଲେ । ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ବି ପଚରାଉଚରା କରାଯାଇଥିଲା । ତାଙ୍କ ପତ୍ନୀଙ୍କ ନାଁ ହେଉଛି ଲୀନା ମାରିୟା ପଲ୍ । ସେ ହେଉଛନ୍ତି ଜଣେ ମାଲାୟାଲାମ୍ ଅଭିନେତ୍ରୀ । ତେବେ ତାଙ୍କ ସ୍ୱାମୀ ସୁକେଶ ଚନ୍ଦ୍ରଶେଖର ଜେଲ ରୁ ହିଁ କୋଟି କୋଟି ଟଙ୍କା ଲୋକମାନଙ୍କ ଜରିଆରେ ଆଦାୟ କରୁଥିଲା ।
ତେବେ ଜେଲ ଭିତରେ ହିଁ କିଛି କଏଦୀ ମାନେ ମଦ ପାର୍ଟି ଏବଂ ସିଗାରେଟ୍ ଟାଣିବା ଠାରୁ ଆରମ୍ଭ କରି ସବୁକିଛି କରୁଥିଲେ । ଏମାନଙ୍କ ମଧ୍ୟରେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ସମ୍ପୃକ୍ତ ରହିଛନ୍ତି । ତେବେ ସେମାନେ ଜେଲ ଭିତରେ ଏପରି କିଛି କରୁଥିବା ବେଳର ଭିଡିଓ ବି ଭାଇରାଲ୍ ହୋଇଥିଲା । ଏହାପରେ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା । ସବୁ ଦିଗକୁ କେନ୍ଦ୍ର କରି ଯାଞ୍ଚ କରାଯାଇଥିଲା ଯେମିତିକି କଏଦୀଙ୍କ ପାଖକୁ ଫୋନ୍ କେଉଁଠୁ ଆସିଲା, ଖାଇବା ଜିନିଷ ମଦ ସିଗାରେଟ୍ କିଏ ଆଣି ଦିଏ ଇତ୍ୟାଦି ।
ସେହିପରି ଅପରାଧୀଙ୍କ ଆଚରଣକୁ ସୋସିଆଲ ମିଡିଆ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ଜେଲ ଭିତରେ ବସିଥିବା ଗ୍ୟାଙ୍ଗଷ୍ଟରମାନେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଜେଲରୁ କୋର୍ଟକୁ ଯିବାର ଭିଡିଓ ଅପଲୋଡ୍ କରୁଛନ୍ତି ନଚେତ୍ କରାଉଛନ୍ତି । ଯେଉଁଥିରେ ସେମାନେ କୌଣସି ହିରୋଠାରୁ କମ୍ ଦେଖାଯାଉ ନାହାନ୍ତି ଏବଂ ସେମାନଙ୍କର ଆତଙ୍କ ହିଁ ସେମାନଙ୍କ ରୋଜଗାରର ଏକମାତ୍ର ଉତ୍ସ ।
ପୋଲିସ୍ ର କହିବା ମୁତାବକ, ଏହି ଉପାୟରେ ଲୋକମାନଙ୍କୁ ନିଜ କଳା ଦୁନିଆର ଅଣ୍ଡରୱାର୍ଲ୍ଡ ଡନ୍ ଭାବରେ ଦେଖାନ୍ତି ଏବଂ ଦିଲ୍ଲୀର ବ୍ୟବସାୟୀଙ୍କୁ ଭୟ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରନ୍ତି । ସୋସିଆଲ ମିଡିଆରେ ତାଙ୍କର ହଜାର ହଜାର ଅନୁଗାମୀ ରହିଛନ୍ତି କାରଣ ସେମାନେ କେବଳ ଜେଲ ଭିତରେ କୋଟି କୋଟି ଟଙ୍କା ରୋଜଗାର କରୁନାହାନ୍ତି ବରଂ ଜେଲ ଭିତରେ ଖୁବ୍ ପାର୍ଟି କରୁଛନ୍ତି ।