fbpx

ମାତ୍ର ୪ ରନ ଦେଇ ୬ ୱିକେଟ୍ ନେଇଥିଲେ ଏହି ଭାରତୀୟ ବୋଲର, ଏବେ କ୍ରିକେଟକୁ କହିଲେ ଅଲବିଦା

ନୂଆଦିଲ୍ଲୀ : ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ସୋମବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ୩୭ ବର୍ଷୀୟ ବିନ୍ନି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଥିଲେ । ୨୦୧୬ ପରଠୁ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିଲେ । କିନ୍ତୁ ଘରୋଇ କ୍ରିକେଟ୍ ଖେଳି ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା ଚଳାଇଥିଲେ । ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ଷ୍ଟୁଆର୍ଟ ଭାରତ ପାଇଁ ୬ଟି ଟେଷ୍ଟ, ୧୪ ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

ତାଙ୍କ ନାମରେ ଦିନିକିଆରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ରହିଛି । ୨୦୧୪ରେ ବାଂଲାଦେଶ ବିପକ୍ଷରେ ସେ ମାତ୍ର ୪ ରନ ଦେଇ ୬ ୱିକେଟ୍ ହାସଲ କରିଥିଲେ । ତାଙ୍କର ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ବୋଲର ଭାଙ୍ଗି ପାରି ନାହାନ୍ତି । ଷ୍ଟୁଆର୍ଟ ବିନ୍ନି ହେଉଛନ୍ତି ଦିଗଜ ଭାରତୀୟ କ୍ରିକେଟର ରୋଜର ବିନ୍ନିଙ୍କ ପୁଅ ।

ବିନ୍ନି ଟେଷ୍ଟ କ୍ରିକେଟରେ ୧୯୪ ରନ ଓ ୩ ୱିକେଟ୍, ଦିନିକିଆରେ ୨୩୦ ରନ ଓ ୨୦ ୱିକେଟ ଏବଂ ଟି-୨୦ରେ ୩୫ ରନ କରିବା ସହ ୧ ୱିକେଟ ନେଇଛନ୍ତି । ବିନ୍ନି ୯୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୪ ହଜାର ୭୯୬ ରନ କରିଛନ୍ତି । ଏଥିସହ ବୋଲିଂରେ ୧୪୮ ୱିକେଟ୍ ନେଇଛନ୍ତି । ସେହି ପରି ୧୦୦ ଲିଷ୍ଟ ଏ ମ୍ୟାଚରେ ୧୭୮୮ ରନ କରିବା ସହ ୯୯ ୱିକେଟ୍ ହାସଲ କରିଛନ୍ତି । ବିନ୍ନି ଶେଷ ଥର ପଡିଆକୁ ଚଳିତ ବର୍ଷ ମାର୍ଚ୍ଚରେ ଓହ୍ଲାଇଥିଲେ । ତାଙ୍କର ୧୦୦ ତମ ପ୍ରଥମ ଶ୍ରେଣୀ ମ୍ୟାଚ୍ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା । ନିଜର ଶେଷ ମ୍ୟାଚରେ ବିନ୍ନି ନାଗାଲାଣ୍ଡ ତରଫରୁ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଅପରାଜିତ ୫୫ ରନର ଇନିଂସ ଖେଳିଥିଲେ ।

 

Get real time updates directly on you device, subscribe now.