ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ମହିଳା, ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ପାଖକୁ ନିଜ ଗାଁର ସଡ଼କ ସମ୍ପର୍କରେ ଏକ ଇମେଲ୍ ପଠାଇଛନ୍ତି । ସେଥିରେ ସେ ଯାହା ଲେଖିଛନ୍ତି ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏଥିରେ ଲେଖା ହୋଇଛି ଯେ, ଯେ ପର୍ଯ୍ୟନ୍ତ ଗାଁରେ ସଡ଼କ ତିଆରି ହୋଇ ସେଥିରେ ବସ୍ ଚଳାଚଳ ହୋଇନାହିଁ ସେପର୍ଯ୍ୟନ୍ତ ବିବାହ କରିବି ନାହିଁ । ଖାଲି ସେତିକି ନୂହେଁ ସେ ଏହା ମଧ୍ୟ ଲେଖିଛନ୍ତି ଯେ, ତାଙ୍କ ଅଞ୍ଚଳର ଅଧିକାରୀଙ୍କ ସହିତ ତର୍କ କରିବା ପରି ଲୋକ କେହି କି ନାହାନ୍ତି । ତେବେ ମହିଳାଙ୍କ ଏପରି ଇମେଳ୍ ଆସିବାପରେ ମୁଖ୍ୟମନ୍ତ୍ରୀ ତତ୍ପରତା ପ୍ରକାଶ କରିଛନ୍ତି । ତୁରନ୍ତ ଏହା ଉପରେ କାମ କରିବା ଆରମ୍ଭ କରିଛନ୍ତି ।
ଏହି ଇମେଲ୍ ପରେ ଗୁରୁବାର ଦିନ ତାଙ୍କ ଗାଁକୁ ଜିଲ୍ଲା ଅଧିକାରୀ ମାନେ ଗାଁରେ ପହଞ୍ଚି ରାସ୍ତା କାମ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଯୁବତୀ ଜଣକ ହେଉଛନ୍ତି କର୍ଣ୍ଣାଟକର ଦାବଣଗେରେ ଜିଲ୍ଲାର ଏଚ୍ ରାମପୁର ଗାଁରେ ରହୁଥିବା ବିନ୍ଦୁ ଆର ଡି । ସେ ସେପ୍ଟେମ୍ବର ୯ ତାରିଖରେ ଏପରି କିଛି ଲେଖି ଇମେଲ୍ କରିଥିଲେ ଓ ଗାଁରେ ସଡ଼କ ନିର୍ମାଣ କରିବା ନେଇ ଦାବି କରିଥିଲେ ।
ଆପଣ ମାନେ ଜାଣି ରଖନ୍ତୁ ଯେ, ବିନ୍ଦୁ ହେଉଛନ୍ତି ଉକ୍ତ ଗାଁର ଏକମାତ୍ର ଗ୍ରାଜୁଏଟ୍ । ସେ ଏବେ ଗାଁର ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ଗାଁରେ ଭଲ ସଡ଼କ ନିର୍ମାଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ନିଜର ପୈତୃକ ସ୍ଥାନ ଛାଡ଼ିବେ ନାହିଁ ବା ବିବାହ କରିବେ ନାହିଁ । ତେବେ ଏଚ୍ ରାମପୁରା ଗାଁରେ ୬୦ଟି ଘର ଥିବା ବେଳେ ଏଠାରେ ୩୦୦ ଜଣ ଲୋକ ରୁହନ୍ତି ।