fbpx

ଏହି ୫ଟି ରାଜ୍ୟର ସଂକ୍ରମଣକୁ ନେଇ ବଢ଼ିଲା ଆଶଙ୍କା, ଫେରିପାରେ ପୁଣି ଥରେ ଲକଡାଉନ: ଜାଣନ୍ତୁ କେଉଁ କେଉଁ ରାଜ୍ୟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଅନ୍ୟପଟେ ପାଞ୍ଚଟି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଏହି ରାଜ୍ୟ ମଧ୍ୟରେ ରହିଛନ୍ତି କେରଳ, ସିକିମ, ମିଜୋରାମ, ମଣିପୁର ଓ ମେଘାଳୟ । ଗତ ୧୫ ଦିନ ମଧ୍ୟରେ କେରଳରେ ୧୬ ପ୍ରତିଶତ, ମିଜୋରାମରେ ୧୭ ପ୍ରତିଶତ, ସିକିମ, ମଣିପୁର, ମେଘାଳୟରେ ୫ରୁ ୮ ପ୍ରତିଶତ ମଧ୍ୟରେ ପଜିଟିଭିଟି ରେଟ୍ ରହିଛି । ତେଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ କରୋନା ଚେନ୍ ଭାଙ୍ଗିବାକୁ ହେଲେ ଲକଡାଉନ ଭଳି କଠୋର କଟକଣା ଲାଗୁ କରିବାକୁ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଜଣାପଡ଼ିଛି ଯେ, ଗତ ୧୫ ଦିନ ମଧ୍ୟରେ ସମଗ୍ର ଦେଶରେ ଟିପିଆର ୨ ପ୍ରତିଶତରୁ କମ୍ ରହିଛି । ବିହାର, ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀ ଓ ଗୁଜରାଟ ଭଳି ରାଜ୍ୟରେ ଏହା ସର୍ବନିମ୍ନ ୦.୦୦୬ ପ୍ରତିଶତକୁ ହ୍ରାସ ପାଇଛି । ତେବେ ଟିପିଆର ଅଧିକ ଥିବା ରାଜ୍ୟରେ ଟେଷ୍ଟିଂ ଓ ଟ୍ରାକିଂ ବୃଦ୍ଧି କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେବେ ଏହି ୫ଟି ରାଜ୍ୟରେ ସଂକ୍ରମଣ ବଢ଼ିଥିଲେ ହେଁ ଗତ ଏପ୍ରିଲ-ମେର ଦ୍ୱିତୀୟ ଲହର ସମୟର ମୃତ୍ୟୁଠାରୁ କମ୍ ରହିଛି । ଯଦି ଏହି ସମୟରେ କରୋନାର ନୂଆ ଭାରିଆଣ୍ଟ ସୃଷ୍ଟି ହୁଏ, ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପାକ୍ଷିକ ଟିପିଆର ଗୋଆରେ ୪୨ ପ୍ରତିଶତ, କର୍ଣ୍ଣାଟକରେ ୩୧ ପ୍ରତିଶତ, ପଶ୍ଚିମବଙ୍ଗରେ ୩୦ ପ୍ରତିଶତ, କେରଳରେ ୨୭ ପ୍ରତିଶତ ରହିଥିଲା । ପର୍ଯ୍ୟଟନସ୍ଥଳୀ ରାଜ୍ୟଗୁଡ଼ିକ ମଧ୍ୟରେ କେରଳକୁ ବାଦ୍ ଦେଲେ ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ ଓ ଗୋଆରେ ସଂକ୍ରମଣ ଚେନକୁ ରୋକାଯାଇ ପାରିଛି । ତେବେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଜନସାଧାରଣ ପୂର୍ବ ଭଳି କୋଭିଡ୍ କଟକଣାକୁ ମାନି ଚଳିବା ଉଚିତ ବୋଲି କୁହାଯାଇଛି । ନଚେତ୍ ଏନେଇ ସାମାନ୍ୟ ହେୟଜ୍ଞାନ ଭବିଷ୍ୟତରେ ପୁଣି ଥରେ ଲକଡାଉନକୁ ଡାକିଆଣିବ, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.