fbpx

ବଢ଼ିଲା ଆଣ୍ଟିଲିଆ ସୁରକ୍ଷା, ଟ୍ୟାକ୍ସି ଚାଳକଙ୍କୁ ଠିକଣା ପଚାରୁଥିବା ଦୁଇ ସନ୍ଦିଗ୍ଧଙ୍କ ଖୋଜୁଛି ପୋଲିସ

ମୁମ୍ବାଇ: ପୁଣିଥରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆର ସୁରକ୍ଷା ବଢ଼ାଯାଇଛି । କୁହାଯାଉଛି ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏକ ଟ୍ୟାକ୍ସି ଡ୍ରାଇଭରଙ୍କ ଫୋନ ଆସିଥିଲା । ସେ କହିଥିଲା ଯେ ତାଙ୍କ ଟ୍ୟାକ୍ସିରେ ଦୁଇ ଜଣ ଲୋକ ବସିଥିଲେ ଯେଉଁମାନେ ଆଣ୍ଟିଲିଆର ଠିକଣା ପଚାରୁଥିଲେ । ଟ୍ୟାକ୍ସି ଚାଳକ ଆହୁରି ମଧ୍ୟ କହିଥିଲେ ଯେ ସେମାନଙ୍କ ପାଖରେ ଗୋଟିଏ ବ୍ୟାଗ ମଧ୍ୟ ରହିଥିଲା । ମୁମ୍ବାଇ ପୋଲିସ୍ ସୂଚନା ଦେଇଥିବା ଟ୍ୟାକ୍ସି ଚାଳକଙ୍କ ବୟାନ ରେକର୍ଡ କରିବା ସହ ବୟାନ ଆଧାରରେ ମାମଲାର ଯାଞ୍ଚ କରୁଛି । ଏହା ସହ ଆଣ୍ଟିଲିଆ ବାହାରେ ସୁରକ୍ଷା ବଢ଼ାଯାଇଛି । ପୋଲିସ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଖୋଜିବାରେ ଲାଗିଛି ।

ସୂଚନାଯୋଗ୍ୟ, ୨୭ ମହଲା ବିଶିଷ୍ଟ ଆଣ୍ଟିଲିଆ ହେଉଛି ମୁକେଶ ଅମ୍ବାନୀଙ୍କ ଘର ଯେଉଁଠାରେ ସେ ତାଙ୍କ ପରିଜନଙ୍କ ସହ ରହୁଛନ୍ତି । ଚଳିତ ବର୍ଷ ଫେବୃଆରୀ ୨୫ରେ ଆଣ୍ଟିଲିଆ ବାହାରେ ଜିଲୋଟିନ ଭର୍ତ୍ତି ଏକ କାର ଜବତ ହୋଇଥିଲା । ସେଥିରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ରହିଥିଲା ଯେଉଁଥିରେ ଅମ୍ବାନୀ ପରିବାରକୁ ଧମକ ଦିଆଯାଇଥିଲା ।

ତଦନ୍ତ ପରେ ସେହି ଗାଡ଼ି ମନସୁଖ ହିରେନ ନାମକ ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡ଼ିଥିଲା, ଯାହା ଚୋରି ହୋଇଯାଇଥିଲା । ଏହି ମାମଲାର ଏକ ସପ୍ତାହ ପରେ ମନସୁଖ ହିରେନଙ୍କ ମୃତ ଦେହ ମୁମ୍ବାଇ କ୍ରିକଠାରୁ ମିଳିଥିଲା । ଏହି ପୁରା ମାମଲାରେ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏପିଆଇ ସଚ୍ଚିନ ୱାଜେଙ୍କୁ ଗିରଫ କରାଯାଇଥିଲା ତାଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରାଯାଇଥିଲା । ସଚ୍ଚିନ ଏବେ ବି ଜେଲରେ ଅଛନ୍ତି ।

Get real time updates directly on you device, subscribe now.