fbpx

କନିଷ୍ଠ ଯନ୍ତ୍ରୀରୁ ଚାକିରି ଆରମ୍ଭ କରିଥିବା ପ୍ରତାପ ସାମଲଙ୍କୁ କୋଟିପତି କୁବେର ବନାଇଲା କିଏ, କଳାକାରନାମାର ଅସଲ ଗଡଫାଦର ଏବେ କେଉଁଠି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ି ନିଲମ୍ବିତ ଓ ଗିରଫ ହୋଇଥିବା କୋଟିପତି କୁବେରଙ୍କୁ ନେଇ ଉଠିଛି ଅନେକ ପ୍ରଶ୍ନ । ଓପିଏଚଡବ୍ଲ୍ୟୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଠାରୁ ୧୫ କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି । ତେବେ ଖୋଳତାଡ଼ ପରେ ପ୍ରତାପଙ୍କର ଏକାଧିକ ପ୍ଲଟ୍, ବ୍ୟାଙ୍କ ଡିପୋଜିଟ, ଶେୟାର ମାର୍କେଟରେ ନିବେଶ, ଫିଲ୍ମରେ ନିବେଶ ଆଦି କଳାଧନ ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନେକ ଥର ନିଲମ୍ବିତ ହେବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପରେ ପ୍ରତାପ ନିଜର କାୟା ବିସ୍ତାର କରିଚାଲିଥିଲେ । ଏଠାରେ ପ୍ରଶ୍ନ ଉଠୁଛି, କିଏ ତାଙ୍କୁ ସୁରକ୍ଷା ଦେଉଥିଲା, ତାଙ୍କ ମୁଣ୍ଡ ଉପରେ ରହିଥିଲା କାହାର ହାତ? ଯଦି ସେ ଏତେ କଳାକାରନାମା କରିଚାଲିଥିଲେ, ତାହା କେବେ ବି ଗୋଟିଏ ଦିନରେ ସମ୍ଭବ ହୋଇନଥିବ । ପ୍ରତାପ ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଥିବାବେଳେ ବାଲେଶ୍ୱର ଓ ଭଦ୍ରକରେ ବିଶ୍ରାମଗୃହ, ଶୋଚାଳୟ ଆଦି ନିମ୍ନମାନର କାର୍ଯ୍ୟ ନଜରକୁ ଆସିଥିଲା । ନିଜ କର୍ତ୍ତବ୍ୟରେ ଅବହେଳା କରିବା କାରଣରୁ ତାଙ୍କୁ ଗତ ୨୦୦୧ ମସିହାରେ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ୨୦୧୬ରେ ଜାମୁଝରସ୍ଥିତ କାରାଗାର ଏକାଡେମୀ ଛାତ୍ରୀନିବାସର ଏକ ସାଙ୍ଘାତିକ କାରନାମା ପଦାକୁ ଆସିଥିଲା । ତାଙ୍କ ପାଇଁ ସରକାର କୋଟି କୋଟି ଟଙ୍କାର କ୍ଷତି ସହିଥିଲେ । ତାଙ୍କର କଳାକାରନାମା ନେଇ ସେ ସମୟରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ସେହିପରି ଭବାନୀପାଟଣା ଡିଭିଜନ ଅନ୍ତର୍ଗତ ବଲାଙ୍ଗିରରେ ଡେପୁଟି ମ୍ୟାନେଜର ଥିବାବେଳେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ତାଙ୍କର ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା । ୨୦୦୬ରେ ଭୁବନେଶ୍ୱରରେ ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ତାଙ୍କ ନାମରେ ଆସିଥିଲା । ତେବେ ପୂର୍ବରୁ ବର୍ଷ ବର୍ଷ ଧରି ପ୍ରତାପଙ୍କ ବିରୋଧରେ ସରକାରୀ ଅର୍ଥ ହଡ଼ପର ବିଭିନ୍ନ ଅଭିଯୋଗ ଆସୁଥିଲେ ହେଁ ସିଏ କିପରି ଖସିଯାଉଥିଲେ । ତାଙ୍କର ଗଡଫାଦର କିଏ, ଯେ କି ତାଙ୍କ ପଛରେ ରକ୍ଷାକବଚ ସାଜିଥିଲେ? ଏ ବିଷୟରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଗଲେ ପ୍ରକୃତ ଚେରର ପର୍ଦ୍ଦାଫାସ ହୋଇପାରନ୍ତା ।

Get real time updates directly on you device, subscribe now.