fbpx

ଥକି ପଡିଲେଣି ଖେଳାଳି ! ରୋଟେସନ ପଲିସି ଆଣିପାରେ ବିସିସିଆଇ, ବରିଷ୍ଠ ଖେଳାଳିଙ୍କୁ ମିଳିବ ବିଶ୍ରାମ

ମୁମ୍ଵାଇ:  ଟି-୨୦ ବିଶ୍ଵ କପ୍ର ସୁପର-୧୨ ରାଉଣ୍ଡରୁ ଆଗେଇ ପାରିନଥିଲା ଭାରତ। ଏହା ପରେ ଦଳ ପରାଜୟର କାରଣ ଖୋଜାଗଲା। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ବାୟୋ ବବଲ ହିଁ ପରାଜୟ କାରଣ ବୋଲି ଅନେକାଂଶରେ କୁହାଗଲା। ଟି-୨୦ ବିଶ୍ଵ କପରୁ  ବାଦ୍ ପଡିବା ପରେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ବାୟୋ ବବଲକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି କହିଥିଲେ ଯେ, ମାସ ମାସ ଧରି  ବାୟୋ ବବଲରେ ରହି ଖେଳାଳି ଥକି ପଡୁଛନ୍ତି। ଶାସ୍ତ୍ରୀଙ୍କ ବ୍ୟତୀତ ଯଶପ୍ରୀତ ବୁମରା, ବିରାଟ କୋହଲିଙ୍କ ପରି ଖେଳାଳି ମଧ୍ୟ ବାୟୋ ବବଲକୁ ନେଇ ନିଜର ମତ ରଖିସାରିଛନ୍ତି। ଏବେ ବିସିସିଆଇ ଏହାକୁ ହୃଦୟଙ୍ଗମ କରିଛି ଏବଂ ଏହାକୁ ନେଇ ବଡ ପଦକ୍ଷେପ ନେବାକୁ  ଯାଉଛି।

ରିପୋର୍ଟ ଅନୁଯାୟୀ, ବିସିସିଆଇ ଏବେ ଇଂଲଣ୍ଡ ପରି ରୋଟେସନ ନୀତି ଲାଗୁ କରିବାକୁ ଯାଉଛି। ନ୍ୟୁଜିଲାଣ୍ଡ ସିରିଜରୁ ଏହା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଏହି କାରଣରୁ ଉକ୍ତ ସିରିଜରୁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ନୂତନ ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ରୋଟେସନ ପଲିସି ଲାଗୁ କଲେ ଏଥିରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିବ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ସହ ଭବିଷ୍ୟତ ପାଇଁ ଦଳ ପ୍ରସ୍ତୁତି ହୋଇ ପାରିବ ବୋଲି ବିସିସିଆଇ ଆଶା କରୁଛି।

ଏ ପର୍ୟ୍ୟନ୍ତ ଇଂଲଣ୍ଡ ହିଁ ବଡ ସ୍ତରରେ ରୋଟେସନ ପଲିସି ଲାଗୁ କରିଛି। ଇଂଲଣ୍ଡ ଟେଷ୍ଟ ପାଇଁ ଗୋଟିଏ ଦଳ ପ୍ରସ୍ତୁତ କରିଥିବା ବେଳେ ଦିନିକିଆ ଏବଂ ଟି-୨୦ ପାଇଁ ଅଲଗା ଦଳ ରଖିଛି। ପ୍ରତି ସିରିଜ୍ରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇନୂତନ ଖେଳାଳିଙ୍କୁ ଦଳରେ ନିଆଯାଉଛି। କେହି କେହି ଇଂଲଣ୍ଡର ଏହି ରୋଟେସନ ପଲିସିକୁ ସମର୍ଥନ କରିଥିବା ବେଳେ ଆଉ କେହି ଏହାର ବିରୋଧ ମଧ୍ୟ କରିଛନ୍ତି।

ଇନସାଇଡ୍ ସ୍ପୋର୍ଟ୍ସ ସହ ଆଲୋଚନା ବେଳେ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଖେଳାଳିଙ୍କ ସମସ୍ୟାକୁ ଦୃଷ୍ଟିରେ ରଖାଯାଇଛି। ଏବେ ଖେଳାଳିଙ୍କୁ ଯେମିତି ଲଗାତାର ବାୟୋ ବବଲରେ ରହିବାକୁ ପଡିବ ନାହିଁ ତାକୁ ଆଖି ଆଗରେ ରଖି ରୋଟେସନ ପଲିସି ଲାଗୁ କରାଯିବ। ନ୍ୟୁଜିଲାଣ୍ଡ ସିରିଜରେ ଏହାର ଆରମ୍ଭ ହେବାକୁ ଯାଉଥିବା ଅଧିକାରୀ କହିଛନ୍ତି।

ଭାରତୀୟ ଦଳ ଗତ ଏକ ବର୍ଷ ହେବ କ୍ରମାଗତ କ୍ରିକେଟ୍ ଖେଳି ଆସୁଛି। ଏପରିକି ୬ ମାସ  ହେବ ଖେଳାଳି ବାୟୋ ବବଲରେ ରହି ଆସିଛନ୍ତି। ପୁଣି ଆଗାମୀ ଏକ ବର୍ଷ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ବିସିସିଆଇ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବିରାଟ କୋହଲି, ଯଶପ୍ରୀତ ବୁମରା, ଋଷଭ ପନ୍ତ, ମହମ୍ମଦ ଶାମିଙ୍କ ପରି ଖେଳାଳିଙ୍କୁ ଟି-୨୦ ସହ ଟେଷ୍ଟ ସିରିଜ୍ରେ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟ ସିରିଜରେ ବିଶ୍ରାମ ଦିଆଯାଇଛି। କୋହଲି ଦ୍ଵିତୀୟ ଟେଷ୍ଟରେ ମଇଦାନକୁ ଫେରିବେ।

ରୋଟେସନ ପଲିସି ଆଧାରରେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳରେ ସାମିଲ୍ କରାଯାଇଥିବା କୁହାଯାଉଛି। ଭବିଷ୍ୟତରେ ଟେଷ୍ଟ ଦଳରେ ତାଙ୍କୁ ଫିଟ୍ ରଖିବାକୁ ବିସିସିଆଇ ଯୋଜନା ରଖିଛି। ଯଦି କୌଣସି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଏ ତେବେ ସେ ଉକ୍ତ ସ୍ଥାନରେ ଶ୍ରେୟସ ଖେଳିବେ। ପୁଣି ଭାରତ-ଏ ଦଳର ଖେଳାଳିଙ୍କ ଉପରେ ନଜର ରଖାଯିବ, ଯେଉଁମାନେ ଆସନ୍ତା ବର୍ଷ କି ଦୁଇ ବର୍ଷରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରି ପାରିବେ।

Get real time updates directly on you device, subscribe now.