fbpx

ଡରୁଛି ସରକାର, ଜାଣିଥିଲେ ଭୁଲ୍ କାମ କରୁଛନ୍ତି: କୃଷି ଆଇନ ପ୍ରତ୍ୟାହାର ପରେ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଉପରେ ଲୋକସଭା ଓ ରାଜ୍ୟସଭାରେ ମୋହର ବାଜିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂତନ ଦାବି ଉଠାଇଛନ୍ତି । ସେ କହିଛନ୍ତି ଏହି ବିଲ୍ ପ୍ରତ୍ୟାହାର କରି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନିଛନ୍ତି ଯେ, ତାଙ୍କ ଦ୍ଵାରା ଭୁଲ୍ ହୋଇଛି । ଯଦି ସରକାର ମାନୁଛନ୍ତି ତାଙ୍କ ଦ୍ଵାରା ଭୁଲ୍ ହୋଇଛି ତେବେ ଆନ୍ଦୋଳନ ସମୟରେ ପ୍ରାଣ ହରେଇଥିବା କୃଷକଙ୍କ ପରିଜନଙ୍କୁ କ୍ଷତିପୂରଣ ମିଳିବା ଉଚିତ୍ । ରାହୁଲ କହିଛନ୍ତି, ଆମେ କହିଥିଲୁ ଯେ, ସରକାରଙ୍କୁ ଏହି ତିନି କଳା ଆଇନ ପ୍ରତ୍ୟାହାର କରିବାକୁ ପଡିବ । ଦେଶର ୩ ରୁ ୪ ପୁଞ୍ଜିପତିଙ୍କ ଆଗରେ କୃଷକଙ୍କ ଶକ୍ତି ଦୁର୍ବଳ ହୋଇ ପାରିବ ନାହିଁ।

ରାହୁଲ କହିଛନ୍ତି, ଏହା କୃଷକ ଏବଂ ଶ୍ରମିକଙ୍କ ସଫଳତା। ମାତ୍ର ଯେଉଁଭଳି ଏହି ଆଇନ ରଦ୍ଦ କରାଗଲା ତାହା ଦୁର୍ଭାଗ୍ୟଜନକ । ସଂସଦରେ ଏହି ବିଷୟରେ ଆଲୋଚନା ହେବାକୁ ଦିଆଗଲା ନାହିଁ । ଏହା ଦର୍ଶାଉଛି ଯେ, ସରକାର ଆଲୋଚନାକୁ ଭୟ କରୁଛନ୍ତି । ସରକାର ନିଜେ ଜାଣୁଛନ୍ତି ଯେ, ତାଙ୍କ ଦ୍ଵାରା ଭୁଲ୍ ହୋଇଛି । ଆମେ ଗୃହରେ ଆଲୋଚନା ସେହି ଲୋକଙ୍କ ବିଷୟରେ କରିବୁ ଯାହାଙ୍କ ଆନ୍ଦୋଳନରେ ପ୍ରାଣହାନୀ ଘଟିଛି । ଆମକୁ ଏହି ବିଷୟରେ ଆଲୋଚନା କରିବାର ଥିଲା ଯେ, କୃଷକଙ୍କ ବିରୋଧରେ ଆଇନ ଆଣିବା ପଛରେ କାହାର ହାତ ଥିଲା । ଏହା ବ୍ୟତୀତ ଏମଏସପି, ଲକ୍ଷ୍ମୀପୁର ଖେରୀ ଏବଂ କୃଷକଙ୍କ ଅନ୍ୟ ସମସ୍ୟା ଉପରେ ଆଲୋଚନା କରିବାର ଥିଲା। ମାତ୍ର ସରକାର ଆମକୁ ଗୃହରେ ଆଲୋଚନା କରିବାକୁ ଦେଇ ନାହାନ୍ତି । ସରକାର ଖୋଦ୍ ଦ୍ଵନ୍ଦ୍ଵରେ ଅଛନ୍ତି। ସରକାର ଭାବୁଥିଲେ ଯେ, କୃଷକ, ଗରିବ ଏବଂ ଶ୍ରମିକଙ୍କୁ ଦବା ଯାଇ ପାରିବ। ମାତ୍ର ଏମିତି ହୋଇ ପାରିବ ନାହିଁ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି।

Get real time updates directly on you device, subscribe now.