fbpx

ବାରିକ ବେଶରେ ଚୋର, ଚୁଟି କାଟୁ କାଟୁ ଚୋରେଇ ନେଲା ସୁନାଚେନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ବାରିକଙ୍କ ଠାରୁ ରୁହନ୍ତୁ ସାବଧାନ । କାରଣ ବାରିକ ବେଶରେ ଏଣିକି ଚୋରି କରୁଛନ୍ତି ଚୋର । ଏହିଭଳି ଖବର ଶୁଣିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ । ଚୁଟି କାଟୁ କାଟୁ ଧୂର୍ତ୍ତ ଚୋର ବେଶରେ ଥିବା ବାରିକ, ଗ୍ରାହକଙ୍କ ବେକରୁ ସୁନା ଚେନ୍ ଏପରି ଭାବରେ କାଢ଼ିନେଲା ତାର ଟେର୍ ପାଇଲେନି ଗ୍ରାହକ । ଏମିତି ଏକ ଚୋରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ୍ । ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ୍ ।

ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚୋରଟି ଭରତପୁର ଲେନ୍-୪ର ନାରାୟଣ ଡାକୁଆ । ଗିରଫ ପରେ ପୋଲିସ୍ ତାଠାରୁ ୧୨ ଗ୍ରାମର ଏକ ସୂଚନା ଚେନ୍ ଜବତ କରିଛି । ନାରାୟଣ ଡୁମୁଡୁମା ଫେଜ୍-୨ରେ ଥିବା ଏକ ସେଲୁନ୍ ରେ ବାରିକ ଭାବେ କାମ କରେ । ଗତ ୨୫ ତାରିଖ ଦିନ ସୌମ୍ୟରଞ୍ଜନ ପଣ୍ଡା ନାମକ ଜଣେ ଗ୍ରାକହ ଚୁଟି କାଟିବାକୁ ଉକ୍ତ ସେଲୁନ୍ କୁ ଆସିଥିଲେ । ଏହି ସମୟରେ ନାରାୟଣ ଅତି ଚାଲାକିର ସହିତ ଚୁଟି ଚୁଟି କାଟୁ ତାଙ୍କ ବେକରେ ଥିବା ସୁନା ଚେନ୍ ଟିକୁ ମଧ୍ୟ କାଟି ନେଇଯାଇଥିଲା ।

ଏହାପରେ ଘରକୁ ଯାଇ ସୌମ୍ୟ ଦେଖିବା ବେଳକୁ ବେକରେ ଚେନ୍ ନଥିଲା । ସେ ପୁଣିଥରେ ସେଲୁନ୍ କୁ ଯାଇ ପଚରାଉଚରା କରିଥିଲେ ଓ ନାରାୟଣକୁ ମଧ୍ୟ ପଚାରିଥିଲେ । ହେଲେ ନାରାୟଣ ସମ୍ପୂର୍ଣ୍ଣ ରୂପେ ଏହି କଥାକୁ ଫାଙ୍କି ନେଇଥିଲା । ସନ୍ଦେହ ହେବାରୁ ସୌମ୍ୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗକୁ ଆଧାର କରି ତଦନ୍ତ କରିଥିଲା ଓ ନାରାୟଣ କୁ ଗିରଫ କରିଥିଲା ।

 

Get real time updates directly on you device, subscribe now.