ମୁସଲମାନ ଯୁବକ ପରିଚୟ ବଦଳାଇ ଶିବ ମନ୍ଦିରର ସାଜିଥିଲେ ପୂଜକ, ୬ ମାସ ପରେ ଏମିତି ସାମ୍ନାକୁ ଆସିଲା ସତ
ପରିଚୟ ବଦଳାଇ କୃଷ୍ଣ ନାମରେ ମନ୍ଦିରରେ ରହୁଥିଲେ କାସିମ।
ଉତ୍ତରପ୍ରଦେଶ: ଶିବ ମନ୍ଦିରରେ ପୂଜକ ସାଜିଛନ୍ତି ମୁସଲମାନ। କୃଷ୍ଣ ନାମଧାରୀ ପୂଜକ ବାହାରିଲେ କାସିମ। ଦୀର୍ଘ ୬ ମାସ ଧରି ପରିଚୟ ବଦଳାଇ ଶିବ ମନ୍ଦିରରେ ପୂଜା କରୁଥିଲେ ମୁସଲମାନ ବ୍ୟକ୍ତି। ହେଲେ ଆଧାର କାର୍ଡ ସବୁ ପୋଲ୍ ଖୋଲିଦେଲା।
ଘଟଣାଟି ହେଉଛି ଉତ୍ତରପ୍ରଦେଶ ମେରଠ ଜିଲ୍ଲାର। ଯେଉଁଠାରେ କୃଷ୍ଣ ନାମକ ଜଣେ ଶିବ ପୂଜାରୀର ପର୍ଦ୍ଦାଫାସ ହୋଇଛି। କିନ୍ତୁ ଏହି ପୂଜାରୀ ଜଣେ ହିନ୍ଦୁ ନୁହେଁ ବରଂ ଜଣେ ମୁସଲମାନ ବ୍ୟକ୍ତି ବୋଲି ଚିହ୍ନଟ ହୋଇଛି।
ଯିଏକି ନିଜର ପରିଚୟ ଲୁଚାଇ ତାଙ୍କ ନାମ କୃଷ୍ଣ ଦେଇଥିଲେ। ହେଲେ ତାଙ୍କର ପ୍ରକୃତ ନାମ କାସିମ ବୋଲି ଜଣାପଡିଛି। କାସିମ ୬ ମାସ ଧରି ମେରଠର ଦୌରାଳା ଥାନା ଅଞ୍ଚଳର ଦାଦ୍ରି ଗାଁରେ ଥିବା ଏକ ଶିବ ମନ୍ଦିରରେ କୃଷ୍ଣ ନାଁରେ ରହୁଥିଲେ।
ଲୋକଙ୍କୁ ଭୂଆଁ ବୁଲାଇବା ସହିତ ମନ୍ଦିରରେ ଭକ୍ତମାନେ ଯେଉଁ ଦାନ ସବୁ କରୁଥିଲେ, ତାକୁ ମଧ୍ୟ ଚୋରି କରି ନେଉଥିଲେ। ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ।
ଆଧାର କାର୍ଡରୁ ସତ ବାହାରିଲା: କିଛି ଦିନ ଧରି ସ୍ଥାନୀୟ ଲୋକମାନେ କାସିମ ସନ୍ଦେହ ହେବାରୁ ତା ଉପରେ ନଜର ରଖିଥିଲେ। ଯେତେବେଳେ ତାଙ୍କୁ ପଚରାଉଚରା କରାଗଲା ସେତେବେଳେ ସବୁ ସତ ସାମ୍ନାକୁ ଆସିଲା।
ଯେତେବେଳେ ତାଙ୍କ ପରିଚୟ ପ୍ରମାଣ ପତ୍ର ପାଇଁ ଆଧାର କାର୍ଡ ମଗାଗଲା, ସେ ପ୍ରଥମେ ବାହାନ କରି ଚାଲିଥିଲେ। ତାପରେ ସେ କିଛି ଦିନ ପାଇଁ ଗାଁରୁ ନିଖୋଜ ହୋଇଯାଇଥିଲେ।
ହେଲେ ସେ ପୁଣିଥରେ ମନ୍ଦିରରେ ରହିବାକୁ ଫେରି ଆସିଲେ। ଏହି ସମୟରେ ଲୋକମାନେ ପୁଣିଥରେ ତାଙ୍କ ଆଚରଣ ଉପରେ ସନ୍ଦେହ କଲେ ଏବଂ ଶେଷରେ ତାଙ୍କର ପ୍ରକୃତ ପରିଚୟ ଧରାପଡିଗଲା।
ବାପା ବିହାରର ମୌଲବୀ: କୃଷ୍ଣ ହୋଇ ସମସ୍ତଙ୍କ ବିଶ୍ୱାସ ସହିତ ଖେଳିବା ପଛରେ ତାଙ୍କର ହୁଏତ କୌଣସି ଅଲଗା କାରଣ ଥାଇପାରେ। ହେଲେ ତାଙ୍କ ସତ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଲୋକମାନେ କହିଥିଲେ କାସିମ ସାଧୁ ବେଶରେ ନିଜର ପରିଚୟ ଲୁଚାଇ ହିନ୍ଦୁ ଧର୍ମକୁ କ୍ଷତି ପହଞ୍ଚାଇଛନ୍ତି। କାସିମର ବୟସ ୩୫ ବର୍ଷ ଏବଂ ସେ ବିହାରର ସୀତାମାଢ଼ି ଜିଲ୍ଲାର ବାସିନ୍ଦା।
ପଚରାଉଚରା ସମୟରେ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ପିତାଙ୍କ ନାମ ଅବ୍ବାସ ଯିଏ ବିହାରର ଜଣେ ମୌଲବୀ। ସେ କୃଷ୍ଣ ନାମ ରଖି ଦାଦରୀର ଶିବ ମନ୍ଦିରରେ ପୂଜା କରୁଥିଲେ। କ୍ରୋଧିତ ଗ୍ରାମବାସୀ ତାଙ୍କୁ ଧରି ଦାଦରୀ ଗ୍ରାମରେ ଥିବା ପୋଲିସ ଷ୍ଟେସନରେ ପୋଲିସକୁ ହସ୍ତାନ୍ତର କରିଥିଲେ।