fbpx

ନିଆରା ପରମ୍ପରା… ଖରାର ତାପରୁ ଶାନ୍ତି ପାଇଁ ଠାକୁରଙ୍କୁ ଲାଗି ହୁଏ ଦହି ପଖାଳ: ଦିଆଯାଏ ଚନ୍ଦନର ଲେପ

ଓଡ଼ିଶା ଭାସ୍କର: ଓଡ଼ିଶାକୁ ପରମ୍ପରା ଓ ଐତିହ୍ୟର ରାଇଜ ବୋଲି କୁହାଯାଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ରହିଥିବା ବେଳେ ଏହିସବୁ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ ସ୍ୱତନ୍ତ୍ର କରିଛି । ପ୍ରତ୍ୟେକ ଜିଲ୍ଲା ଏବଂ ମନ୍ଦିରର ଥାଏ କିଛି ନିଆରା ପରମ୍ପରା ଓ ନୀତିକାନ୍ତି । ଏମିତି ଏକ ନିଆରା ପରମ୍ପରା ରହିଛି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ । ଏଠାରେ ପ୍ରଚଣ୍ଡ ଖରା ତାପରୁ ଶାନ୍ତି ପାଇବା ପାଇଁ ଠାକୁରଙ୍କୁ ଲାଗି ହୁଏ ଦହି ପଖାଳ । ଏହାସହିତ ଦେବାଦେବୀଙ୍କ ପ୍ରତିମୂର୍ତ୍ତିରେ ଚନ୍ଦନର ଲେପ ଦିଆଯାଏ । ପ୍ରଭୁଙ୍କ ପାଖରେ ଭୋଗ ଲାଗିଥିବା ଏହି ଦହି ପଖାଳର ପ୍ରସାଦ ପାଇବା ପାଇଁ ବିଭିନ୍ନ ରାଜ୍ୟରୁ ଛୁଟେ ଭକ୍ତଙ୍କ ସୁଅ । ଏଠାକାର ଅନନ୍ୟ ପରମ୍ପରା ଭାବରେ ସାରା ରାଜ୍ୟରେ ପ୍ରସିଦ୍ଧିଲାଭ କରିଛି ପଖାଳ ଭୋଗ ।

ମହାପ୍ରଭୂ ଶୀ ମାର୍ଜାର କେଶରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ପ୍ରତି ବର୍ଷ ଅକ୍ଷୟ ତୃତୀୟାରେ ପଖାଳ ଭୋଗ ଲାଗିଥାଏ । ବୈଶାଖ ଶୁକ୍ଲ ତୃତୀୟା ଅର୍ଥାତ ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହୋଇ ୭ ଦିନ ଯାଏଁ ଲାଗି ହୋଇଥାଏ ପଖାଳ ଭୋଗ । ଏବଂ ଏହି ପଖାଳ ଭୋଗ ପାଇବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ସହ ପଡୋଶୀ ଛତିଶଗଡ ଏବଂ ଅନ୍ୟ ରାଜ୍ୟ ମାନଙ୍କରୁ ମଧ୍ୟ ଲାଗିଥାଏ ଭକ୍ତଙ୍କର ଭିଡ । ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଏହି ପରମ୍ପରା ଚାଲି ଆସୁଛି । ରୀତିନୀତି ଅନୁଯାୟୀ କାଇଁ କେଉଁ କାଳରୁ ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ପରମ୍ପରା ରହିଥିବା ବେଳେ ଉପର ବେଳା ପ୍ରାୟ ୩ଟା ସମୟରେ ମହାପ୍ରଭୁଙ୍କୁ ଏହି ପଖାଳ ଭୋଗ ଲାଗି ହୋଇଥାଏ ।

ଠାକୁରଙ୍କ ମନ ଅନୁଯାୟୀ ସୁସ୍ୱାଦୁ ଏବଂ ଗ୍ରୀଷ୍ମରେ ଠାକୁରଙ୍କୁ ରୁଚିକର ଖାଦ୍ୟ ପରଷିବା ପାଇଁ ଟେଭା ପତ୍ର, ଦହି, ଲେମ୍ବୁ, କଞ୍ଚା ଆମ୍ବ ଆଦି ଦେଇ ବିଶେଷ ଭାବରେ ଏହି ପଖାଳ ପ୍ରସ୍ତୁତ କରାଯାଇଥାଏ । ଏହା ସାଙ୍ଗରେ ଡାଲି, ତରକାରୀ, ଭଜା ଆଦି ପ୍ରସ୍ତୁତ କରାଯାଇ ପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ଏହା ସହ ଖରା ଦାଉରୁ ରକ୍ଷା ପାଇଁ ମହାପ୍ରଭୁଙ୍କ ସହ ଚତୁଃପାର୍ଶ୍ଵରେ ଥିବା ଦେବାଦେବୀଙ୍କୁ କଳସୀରେ ନିୟମିତ ଥଣ୍ଡା ପାଣି ଏବଂ ମଥାରେ ଚନ୍ଦନ ପ୍ରଲେପ ସହ ମୁଣ୍ଡ ଉପରେ ଓଦା ଗାମୁଛା ଦେବାର ଅନନ୍ୟ ଏବଂ ମନ ଲୋଭା ପରମ୍ପରା ରହିଛି ।

Get real time updates directly on you device, subscribe now.