fbpx

ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର ସାପ: ଦୁଇଟି ମୁହଁ, ୪ଟି ଆଖି ଦେଖି ଲୋକେ କହିଲେ ଈଶ୍ୱରଙ୍କ ଅବତାର

ନୂଆଦିଲ୍ଲୀ: ବେଳେବେଳେ ଦେଶର ଅନେକ ସ୍ଥାନରୁ କିଛି ବିରଳ ପ୍ରଜାତିର ମଣିଷ, ଜୀବଜନ୍ତୁ, ସରିସୃପ ଦେଖିବାକୁ ମିଳିଥାନ୍ତି । ତେବେ ନିକଟରେ ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ଏକ ବିରଳ ସର୍ପ ଦେଖିବାକୁ ମିଳିଛି । ଉକ୍ତ ବିରଳ ପ୍ରଜାତିର ସାପଟିର ଗୋଟି ନୁହେଁ ବରଂ ଦୁଇଟି ମୁହଁ ରହିଛି । ଏଥିସହିତ ତା’ର ୪ଟି ଆଖି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି ସାପକୁ ଦେଖିବା ପରେ ଲୋକମାନେ ପୂଜାର୍ଚ୍ଚନା କରୁଥିବା ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ବଲୌନଦା ବନାଞ୍ଚଳ ଅନ୍ତର୍ଗତ ଶନିଚରିଡିହ ଅଞ୍ଚଳରେ ଲୋକମାନେ କାମ କରୁଥିବା ବେଳେ ଅଚାନକ ଏହି ସାପଟିକୁ ଦେଖିଥିଲେ । ଏହି ଅଦ୍ଭୂତ ଜୀବଟିକୁ ଦେଖିବା ପରେ ତାହା ଏକ ସାପ ବୋଲି ପ୍ରଥମେ ସେମାନେ ଭ୍ରମରେ ପଡ଼ିଯାଇଥିଲେ । ତେବେ ସାପ ପରି ତାହା ଗତି କରିବା ପରେ ସେମାନେ ସ୍ପଷ୍ଟ ହୋଇଥିଲେ । ଜୀବଟିର ନିକଟକୁ ଯାଇ ଦେଖନ୍ତି ତା’ର ଦୁଇଟି ମୁହଁ ଓ ୪ଟି ଆଖି ରହିଥିଲା ।

ତେବେ ଏହି ବିରଳ ସାପଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ପରେ ଲୋକମାନେ ତାକୁ ଦେଖିବାକୁ ପାଇଁ ରୁଣ୍ଡ ହୋଇଯାଇଥିଲେ । କିଛି ଲୋକ ଉକ୍ତ ସାପଟିକୁ ଈଶ୍ୱରଙ୍କ ଅବତାର ବୋଲି ଗ୍ରହଣ କରିନେଇଥିଲେ । ତେବେ ତାହା ସୌଣ୍ଡ ବୋବା ପ୍ରଜାତିର ସାପ ବୋଲି ଜଣାପଡ଼ିଥିଲା । ସ୍ଥାନୀୟ ଛତିଶଗଡ଼ୀ ଭାଷାରେ ତାହାକୁ ମୁସଲେଡୀ ବୋଲି କୁହାଯାଏ, ଯାହାକି ଆକାର ଦୃଷ୍ଟିରୁ ଅନ୍ୟ ସାପଙ୍କଠାରୁ ଛୋଟ ହୋଇଥାଏ । ତେବେ ଏହି ପ୍ରଜାତିର ସାପ ଜନବସତିଠାରୁ ଦୂରରେ ରହିବା ସହ ତାକୁ ବିଷଧର ସାପ ଭାବେ ଗଣାଯାଏ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.