ଝାଡ଼ଖଣ୍ଡ: କୁଢ଼ କୁଢ଼ ଅଳିଆ। ଆଉ ଅଳିଆ ଗଦା ଭିତରେ ମୁହଁ ବନ୍ଧା ହୋଇ ପଡିଛି ଏକ ବସ୍ତା। ଏପରିକି ଅଳିଆ ଗଦାରେ ପଡିଥିବା ବସ୍ତାରେ ନିଆଁ ମଧ୍ୟ ଲଗାଯାଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ବସ୍ତାରେ ଅଳିଆ ନାହିଁ ବରଂ ଅଛି ଏକ ମହିଳାଙ୍କ ମୃତଦେହ।
ହଁ ଆଜ୍ଞା ରବିବାର ଦିନ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚକ୍ରଧରପୁର ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବ୍ୟସ୍ତବହୁଳ ଭାରତ ଭବନ ଚୌକରେ ଏକ ଅଳିଆ ଗଦାରୁ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।
ହତ୍ୟା କରି ଅଳିଆ ଗଦାରେ ପୋଡିଦେଲେ: ପୋଲିସର ସୂଚନାନୁଯାୟୀ, ଉକ୍ତ ମହିଳାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏବଂ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ନିଆଁ ଲଗାଇଦିଆଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୃତଦେହ ଅଧାରୁ ଅଧିକ ପୋଡ଼ିଯାଇଥିଲା। ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ପଠାଇଛି।
ଚକ୍ରଧରପୁର ପୋଲିସ ଷ୍ଟେସନ୍ ଇନଚାର୍ଜ ଅବଧେଶ କୁମାର କହିଛନ୍ତି ଯେ ମହିଳାଙ୍କ ବୟସ ୩୦ ବର୍ଷରୁ ଅଧିକ ବୋଲି ମନେ ହେଉଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିନାହିଁ।
ସେ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ୍ ସ୍କାନ କରୁଛି।