fbpx
BSKY
BJD MC SKY
BJD YOUTH SKY

ବାହାଘର ପରେ ସୌମ୍ୟ ମାନସିକ ଚାପରେ ରହୁଥିଲେ କାହିଁକି? ପୋଲିସକୁ ମିଳିଲା ଲାପଟପ୍, ମୋବାଇଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ଗୁମର ଖୋଲୁଛି । ତେବେ ଇତିମଧ୍ୟରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସକୁ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଯାଇ ତନାଘନା କରିବା ପରେ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି । ଏହାଛଡ଼ା ସୌମ୍ୟଙ୍କ କିଛି ବନ୍ଧୁ ଓ ଅଫିସର କର୍ମଚାରୀଙ୍କ ବୟାନ ଏକ ଭିନ୍ନ ଦିଗକୁ ଇସାରା କରୁଥିବା ଜଣାପଡ଼ିଛି ।

ସୌମ୍ୟଙ୍କ ଏକ ହାତଲେଖା ଚିଠିର ଖୁଲାସା କରିଛନ୍ତି ତାଙ୍କର ଜଣେ ସମ୍ପର୍କୀୟ ଭାଇ ମାନସ ରଞ୍ଜନ ପାଢ଼ୀ । ୧୫ ତାରିଖ ପରେ ସେ ଚାପମୁକ୍ତ ହୋଇଯିବେ ଓ ଚୁକ୍ତିନାମାରେ ନିଜର ସମସ୍ତ ସମ୍ପତ୍ତି ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଦେବା ପାଇଁ ସୌମ୍ୟ ରାଜି ଥିଲେ ବୋଲି ଚିଠିରେ ଉଲ୍ଲେଖ ଥିବା ମାନସ କହିଛନ୍ତି । ତେବେ ଏପରି କ’ଣ ବିଶେଷ କାରଣ ରହିଥିଲା, ଯାହାଫଳରେ ସୌମ୍ୟ ନିଜର ସମସ୍ତ ସମ୍ପତ୍ତି ପତ୍ନୀଙ୍କୁ ଦେବା ପାଇଁ ରାଜି ହୋଇଯାଇଥିଲେ ବୋଲି ପ୍ରଶ୍ନ ଉଠୁଛି । ସୌମ୍ୟ ଓ ବିଦ୍ୟାଭାରତୀଙ୍କୁ ମଧ୍ୟରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇଥିବା କହିଛନ୍ତି ପରିବାରର ଓକିଲ ପାର୍ଥସାରଥୀ ନାୟକ । ସେହିପରି ସୌମ୍ୟଙ୍କ ସାଙ୍ଗ ସୁଭାଶିଷ କହିଛନ୍ତି ଯେ, ଅଫିସରେ ସୌମ୍ୟଙ୍କୁ ଟର୍ଚର କରାଯାଉଥିଲା । ଜାଣିଶୁଣି ତାଙ୍କୁ ବହୁ ଦୂରଜାଗାକୁ ଡ୍ୟୁଟିରେ ପଠାଯାଉଥିଲା । ସେ ଘରେ ଅନୁପସ୍ଥିତ ଥିବା ସମୟରେ ଘରକୁ ବାହାର ଲୋକ ଆସୁଥିଲେ । ଘରେ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ଜିନିଷ ହେଉଥିଲା । ଯାହାକି ସୌମ୍ୟଙ୍କୁ ବହୁତ ଆଘାତ ଦେଇଥିଲା ବୋଲି ସୁଭାଶିଷ କହିଛନ୍ତି । ବାହାଘର ପରେ ସୌମ୍ୟ ମାନସିକ ଚାପରେ ରହୁଥିଲେ ବୋଲି କିଛି ତଳିଆ କର୍ମଚାରୀ କହିଛନ୍ତି ।

ଅନ୍ୟପକ୍ଷରେ ଜବତ ହୋଇଥିବା ସୌମ୍ୟଙ୍କ ଲାପଟପ୍ ଓ ହାତଲେଖା ଖାତାକୁ ନେଇ ପୋଲିସର ସନ୍ଦେହ ବଢ଼ିଯାଇଛି । ଏହି ଜବତ ସାମଗ୍ରୀରୁ ଅନେକ ରହସ୍ୟ ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ପତ୍ନୀ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ଅନ୍ୟତମ କାରଣ ବୋଲି ପରିବାରବର୍ଗ ପୋଲିସରେ ଅଭିଯୋଗ କରିଥିଲେ । ଡିଏଫଓ, ରୋଷେୟା ଓ ବିଦ୍ୟାଭାରତୀଙ୍କ ନାମରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ମାମଲା ଦାୟର କରିଥିବାରୁ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବାର କ୍ଷମତା ପୋଲିସର ରହିଛି । ମାତ୍ର ପୋଲିସ କ’ଣ ପାଇଁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଭାବେ ପଚରାଉଚରା କରୁନାହିଁ ତାହା ତଦନ୍ତର ଦିଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗଜପତି ଏସପି ତପନ କୁମାର ପଟ୍ଟନାୟକ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ସୌମ୍ୟଙ୍କୁ ହସ୍ପିଟାଲ ନେବା ସମୟର ସମସ୍ତ ଘଟଣାର ଡେମୋ କରାଇଛନ୍ତି । ସେ କହିଛନ୍ତି ଯେ, କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ମୋବାଇଲ ଓ ଲାପଟପ୍ ଜବତ ହୋଇଛି । ସମସ୍ତ ଅଭିଯୁକ୍ତ ପଚରାଉଚରା କରି ପର୍ଯ୍ୟାୟକ୍ରମେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.