fbpx

ବଢିବାକୁ ଯାଉଛି ଗୌତମ ଆଦାନୀଙ୍କ ସମସ୍ୟା, ଡିସ୍‌କ୍ଲୋଜର ନିୟମ ଉଲଂଘନ ନେଇ ତଦନ୍ତରେ ସେବିକୁ ମିଳିଲା ବଡ଼ ଦୁର୍ନିତି ଗନ୍ଧ

ନୂଆଦିଲ୍ଲୀ: ଆଦାନୀ ସମୁହର ସମସ୍ୟା ପୁଣିଥରେ ବଢିବାକୁ ଯାଉଛି । ସେୟାର ବଜାର ରେଗୁଲେଟର ସେବି ତଦନ୍ତରେ ଆଦାନୀ ସମୁହର ତାଲିକାଭୁକ୍ତ କମ୍ପାନୀ ପକ୍ଷରୁ ଡିସ୍‌କ୍ଲୋଜର ବା ଜରୁରୀ ଖୁଲାସା ଏବଂ ଅଫଶୋର ଫଣ୍ଡକୁ ହୋଲ୍ଡିଂ ମାମଲାରେ ନିୟମ ଉଲଂଘନ ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ୨୯ ତାରିଖରେ ସେବି ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବା ପରେ ଆଦାନୀ ମାମଲାରେ ଶୁଣାଣି ଆରମ୍ଭ ହେବ ।

ରଏଟର୍ସ ଦ୍ୱାରା କରାଯାଇଥିବା ରିପୋର୍ଟ ଅନୁଯାୟୀ, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ ଷ୍ଟକଗୁଡିକରେ ଦୁର୍ନିତ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ ଷ୍ଟକ୍ ଗୁଡ଼ିକର ସେୟାର ମୂଲ୍ୟ ମାଟି କାମୁଡ଼ିଥିଲେ । ଏହି ସମୟରେ ଆଦାନୀ ଗ୍ରୁପର ଷ୍ଟକ ଗୁଡିକରେ ୧୦୦ ବିଲିୟନ ଡଲାର ହ୍ରାସ ପାଇଥିଲା । ମାମଲାକୁ ନେଇ ନିବେଶକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେବି (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ଏହି ଘଟଣାର ତଦନ୍ତ କରିଥିଲା ।ତେବେ, ଆଦାନୀ ସମୁହ ହିଣ୍ଡେନବର୍ଗଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଥିଲେ ।

ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଆଦାନୀ ସମୁହ ପକ୍ଷରୁ ନିୟମ ଉଲ୍ଲଂଘନ ମାମଲାରେ କିଛି ଟେକ୍‌ନିକାଲ ଦିଗ ରହିଛି, ଯେଉଁଥିରେ ଯାଞ୍ଚ ଶେଷ ହେବା ପରେ ଆର୍ଥିକ ଦଣ୍ଡବିଧାନ କରାଯାଇପାରିବ । ସେବି ଏପର୍ଯ୍ୟନ୍ତ ରିପୋର୍ଟକୁ ସାର୍ବଜନୀନ କରିନାହିଁ । ଆଦାନୀ ସମୁହ ବିରୋଧରେ ତଦନ୍ତ ଶେଷ କରିବା ପରେ ସେବି ଏହାର ନିର୍ଦ୍ଦେଶ ଜାରି କରିବ । ତେବେ ସେବି ଏବଂ ଆଦାନୀ ସମୁହ ଏ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି ।

ତେବେ ୨୫ ଅଗଷ୍ଟ ୨୦୨୩ ଶୁକ୍ରବାର ଦିନ, ସେବି ସୁପ୍ରିମକୋର୍ଟରେ ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତର ସ୍ଥିତି ରିପୋର୍ଟ ଦାଖଲ କରିଛନ୍ତି । ଏହି ରିପୋର୍ଟରେ ସେବି କହିଛନ୍ତି ଯେ ଏହା ୨୪ ଟି ମାମଲାର ଅନୁସନ୍ଧାନ କରିଛି, ସେଥିମଧ୍ୟରୁ ୨୨ ଟି ତଦନ୍ତ ଶେଷ ହୋଇଛି ଏବଂ ୨ ଟି ଅନୁସନ୍ଧାନର ରିପୋର୍ଟ ସମ୍ପୁର୍ଣ୍ଣ ହୋଇନାହିଁ । ଏହି ଦୁଇଟି ମାମଲାରେ ସେବି ଏବେ ବିଦେଶୀ ଏଜେନ୍ସିର ରିପୋର୍ଟକୁ ଅପେକ୍ଷା କରିଛି । ଅନୁସନ୍ଧାନରେ ପ୍ରକାଶ ପାଇଥିବା ତଥ୍ୟ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେବି କହିଛି । ମଧ୍ୟବର୍ତ୍ତୀ ରିପୋର୍ଟ ଦାଖଲ ହୋଇଥିବା ଦୁଇଟି ମାମଲାରେ ଆଦାନୀ ଗୋଷ୍ଠୀର ୧୩ ଟି ବିଦେଶୀ ସଂସ୍ଥା ସହିତ ତଦନ୍ତ କରାଯାଉଛି ।

Get real time updates directly on you device, subscribe now.