ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ‘ଆଦାନୀ ପୋର୍ଟସ ଆଣ୍ଡ୍ SEZ ଲିମିଟେଡ୍’ ମଙ୍ଗଳବାର ଏକ ବିବୃତ୍ତିରେ କହିଛି କି ସେ ଶ୍ରୀଲଙ୍କାରେ କଲମ୍ବୋ ୱେଷ୍ଟ ଇଣ୍ଟରନ୍ୟାସନାଲ ଟର୍ମିନାଲ ପ୍ରୋଜେକ୍ଟ ପାଇଁ ଆମେରିକୀୟ ପାଣ୍ଠି ଉପରେ ନିର୍ଭରଶୀଳ ହେବ ନାହିଁ । କମ୍ପାନୀ ଏହି ପ୍ରକଳ୍ପକୁ ନିଜେ ପାଣ୍ଠି ଯୋଗାଇବ ।
ଆଦାନୀ ଗ୍ରୁପର ଏହି କମ୍ପାନୀ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଏକ୍ସଚେଞ୍ଜ ଫାଇଲିଂରେ କହିଥିଲା କି ଆସନ୍ତା ବର୍ଷ ପ୍ରାରମ୍ଭରେ କଲମ୍ବୋ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଲକ୍ଷରେ ରହିଛି ଏବଂ କମ୍ପାନୀ ଏହାର କ୍ୟାପିଟାଲ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜୀ ଅନୁରୂପ ନିଜ ଉତ୍ସରୁ ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ କରିବ । ଆଦାନୀ ପୋର୍ଟ୍ସ ଆହୁରି ମଧ୍ୟ କହିଛି କି ସେ ୟୁଏସ୍ ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେସନ(DFC)ରୁ ଏହାର ୨୦୨୩ ଅନୁରୋଧକୁ ପ୍ରତ୍ୟାହାର କରିଛି । ଗତ ବର୍ଷ ନଭେମ୍ବରରେ DFC କଲମ୍ବୋ ପୋର୍ଟରେ ‘କଲମ୍ବୋ ୱେଷ୍ଟ ଇଣ୍ଟରନ୍ୟାସନାଲ ଟର୍ମିନାଲ’ର ବିକାଶ, ନିର୍ମାଣ ଏବଂ ସଞ୍ଚଳନ ପାଇଁ ୫୫୩ ଆମରିକୀୟ ଡଲାର ଋଣ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଆଦାନୀ ପୋର୍ଟ୍ସ, ଶ୍ରୀଲଙ୍କୀୟ କମ୍ପାନୀ ଜନ୍ କିଲ୍ସ ହୋଲ୍ଡିଂସ ପିଏଲସି ଏବଂ ଶ୍ରୀଲଙ୍କା ପୋର୍ଟସ ଅଥୋରିଟି(SLPA) ଦ୍ୱାରା ଏହି ଟର୍ମିନାଲର ବିକାଶ କରାଯାଉଛି । ଅଧିକାରିକ ସୂତ୍ରରୁ ପ୍ରକାଶ କି ଆଦାନୀ ପୋର୍ଟ୍ସ ପାଖରେ କଲମ୍ବୋ ପୋର୍ଟ ପ୍ରକଳ୍ପର ୫୧% ଅଂଶଧନ ରହିଛି । କହିରଖୁଛୁ ୨୦୨୧ ସେପ୍ଟେମ୍ବରରେ କଲମ୍ବୋ ୱେଷ୍ଟ ଇଣ୍ଟରନ୍ୟାସନାଲ ଟର୍ମିନାଲ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା ।
ଏହି ଟର୍ମିନାଲର ବିଶେଷତ୍ୱ
ଭୌଗୋଳିକ ଦୃଷ୍ଟିରୁ ଶ୍ରୀଲଙ୍କା ପ୍ରମୁଖ ଶପିଂ ରୁଟ୍ସ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଆନ୍ତଜାତିକ ମାର୍କେଟ ନିକଟରେ ଅବସ୍ଥିତ । ୨୦୨୫ ପ୍ରଥମ କ୍ୱାର୍ଟରରେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ଟର୍ମିନାଲ ଶ୍ରୀଲଙ୍କାର ସର୍ବବୃହତ ଏବଂ ସବୁଠାରୁ ଗଭୀରତମ କଣ୍ଟେନର ଟର୍ମିନାଲ ହେବ ଯାହାର ଲମ୍ବ ୧୪୦୦ ମିଟର ଏବଂ ଗଭୀରତା ୨୦ ମିଟର ହେବ । ଏହି ପ୍ରକଳ୍ପ ଶେଷ ହେଲା ପରେ , ଟର୍ମିନାଲ ୨୪ ହଜାର ଟିଇୟୁ ବିଶିଷ୍ଟ ଅଲଟ୍ରା ଲାର୍ଜ କଣ୍ଟେନର ଭେସେଲ୍ସ(ULCVs)କୁ ପରିଚାଳନା କରିବାରେ ସକ୍ଷମ ହେବ ଏବଂ ଏହାର ବାର୍ଷିକ ନିୟନ୍ତ୍ରଣ କ୍ଷମତା ୩୨ ଲକ୍ଷ ଟିଇୟୁ(୧ ଟିଇୟୁ= ୨୪, ୦୦୦ କିଲୋ)ରୁ ଅଧିକ ହେବ ବୋଲି ଆଶା ରହିଛି । କହିରଖୁଛୁ କଲମ୍ବୋ ବନ୍ଦର ହେଉଛି ଭାରତ ମହାସାଗରର ସବୁଠାରୁ ବଡ଼ ଏବଂ ବ୍ୟସ୍ତବହୁଳ ପରିବହନ ବନ୍ଦର ।