ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ କିଟ୍ ଶିକ୍ଷାନୁଷ୍ଠାନରେ ଆଇଟିଆଇ ତାଲିମ୍, ବେରୋଜଗାର ଯୁବବର୍ଗ ହେବେ ଆତ୍ମନିର୍ଭରଶୀଳ

ପ୍ରୋଜେକ୍ଟ 'କୌଶଳ' ଅଧୀନରେ ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ।

ରାୟଗଡ଼ା: ଏଣିକି ଆଉ ରହିବେନି ବେରୋଜଗାର ଯୁବବର୍ଗ। ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ କରୁଛି ଆଦିତ୍ୟ ଆଲୁମିନା ରିଫାଇନେରୀ।

ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନାରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି।

ପ୍ରକଳ୍ପ ‘କୌଶଳ’ ଅଧୀନରେ ସ୍ଥାନୀୟ ବେରୋଜଗାର ଯୁବକ ଯୁବତୀମାନଙ୍କୁ ଆଇଟିଆଇ ପାଠ୍ୟକ୍ରମରେ ପ୍ରବେଶ କରି ଦକ୍ଷତା ବିକାଶ କରିବା ସହିତ ଯୁବ ସଶକ୍ତିକରଣ ଦିଗରେ କମ୍ପାନୀ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଅଛି ।

ଆଇଟିଆଇ ତାଲିମ୍: କେବଳ ସେତିକି ନୁହେଁ ଏହି କ୍ରମରେ ସ୍ଥାନୀୟ ଯୁବକମାନଙ୍କୁ ଭୁବନେଶ୍ୱର ଠାରେ ପ୍ରତିଷ୍ଠିତ କିଟ୍ ଶିକ୍ଷାନୁଷ୍ଠାନରେ ଉନ୍ନତମାନର ବୈଷୟିକ ତାଲିମ ପ୍ରଦାନ କରାଯିବ।

ଏଥିସହ ଉକ୍ତ ପ୍ରଶିକ୍ଷଣ ପାଇଁ ପଞ୍ଜୀକୃତ ପ୍ରାର୍ଥୀଙ୍କୁ ରହିବା ଓ ଖାଦ୍ୟପେୟର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଏହି ଅଭିଯାନ ଦ୍ଵାରା କମ୍ ଶିକ୍ଷିତ ଯୁବଗୋଷ୍ଠୀଙ୍କ ମଧ୍ୟରେ ଶିଳ୍ପ-ଉପଯୋଗୀ ଦକ୍ଷତା ଏବଂ ବାସ୍ତବ ଅନୁଭୂତି ଯୋଗାଇ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲକ୍ଷ ରହିଛି।

ଉଦଘାଟନୀ କାର୍ଯ୍ୟକ୍ରମ: ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିତ୍ୟ ଆଲୁମିନା ରିଫାଇନେରୀର ୟୁନିଟ୍ ମୁଖ୍ୟ ତଥା ସଭାପତି ଶ୍ରୀ ମଜହର ବେଗ ଏବଂ ଅନ୍ୟ ବରିଷ୍ଠ ନେତୃତ୍ୱ ବୃନ୍ଦ ଉପସ୍ଥିତ ରହି ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ।

ଉକ୍ତ କୌଶଳ ପ୍ରକଳ୍ପ ଅଧିନରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ସ୍ଥାନୀୟ ଯଥା, ବିଶେଷ ଭାବେ ଆଦିବାସୀ ସମ୍ପ୍ରଦାୟର ଯୁବବର୍ଗଙ୍କୁ ଦୁଇ ବର୍ଷର ପୂର୍ଣ୍ଣକାଳୀନ ଆଇଟିଆଇ ପାଠ୍ୟକ୍ରମ ଏବଂ ପରେ ଭୁବନେଶ୍ୱରରେ ଏକ ବର୍ଷର ଅନ୍-ଦି-ଜବ୍ ତାଲିମ ପାଇଁ ନାମ ପଞ୍ଜୀକରଣ କରାଯାଇଛି।

ଏହି ଅବସରରେ ପ୍ରତିକ୍ରିୟା ଦେଇ ଶ୍ରୀ ବେଗ କହିଛନ୍ତି ଯେ, “ପ୍ରୋଜେକ୍ଟ କୌଶଳ ହେଉଛି ଯୁବ ପିଢୀଙ୍କ ପାଇଁ ନିରନ୍ତର ଜୀବିକା ଅର୍ଜନ ପାଇଁ ମୂଳଦୁଆ”।

“ଏହି ଦିଗରେ ଏକ ପଦକ୍ଷେପ ସ୍ଵରୂପ ସ୍ଥାନୀୟ ପ୍ରତିଭାଙ୍କ ମଧ୍ୟରେ ବୈଷୟିକ ଦକ୍ଷତାକୁ ପ୍ରୋତ୍ସାହିତ କରି ଆମେ ସମ୍ପ୍ରଦାୟକୁ ଏହି ଅଞ୍ଚଳର ଶିଳ୍ପ ବିକାଶ ଗାଥାରେ ଅଂଶଗ୍ରହଣ କରିବା ପାଇଁ ସଶକ୍ତ କରୁଛୁ ବୋଲି ଶ୍ରୀ ବେଗ ପ୍ରକାଶ କରିଛନ୍ତି ”।

ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ଦ୍ଵାରା ଆଦିତ୍ୟ ଆଲୁମିନା ରିଫାଇନେରୀ ସମ୍ପ୍ରଦାୟର ବିକାଶ, ନିରନ୍ତର ଜୀବିକା ଏବଂ ଅଞ୍ଚଳର ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରି ସମନ୍ୱିତ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛି ।