fbpx

ମିଶନ ଚନ୍ଦ୍ରର ସଫଳତା ପରେ ଏବେ ସମୁଦ୍ରଯାନ ପ୍ରକଳ୍ପ, ଆସନ୍ତାବର୍ଷ ପ୍ରଥମ ଭାଗରେ ହେବ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛି । ମିଶନ ଚନ୍ଦ୍ରର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ
ବୈଜ୍ଞାନିକମାନେ ୩ଜଣଙ୍କୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସମୁଦ୍ରର ଗଭୀର ଜଳରାଶି ଓ ଏହାର ସମ୍ପଦ ସଂପର୍କରେ ତଥ୍ୟ ଯୋଗାଡ଼ କରିବା ହେଉଛି ଏହି ମିଶନର ଲକ୍ଷ୍ୟ । ସମୁଦ୍ର ପତ୍ତନଠାରୁ ୬ହଜାର ମିଟର ବା ୬ କିମି ଗଭୀର ଜଳରାଶିକୁ ଭାରତର ବୈଜ୍ଞାନିକମାନେ ୩ଜଣଙ୍କୁ ପଠାଇବେ ।

ଏଥିପାଇଁ ସ୍ୱତନ୍ତ୍ର ଗୋଲାକୃତି ବୁଡ଼ାଜାହାଜ ମଧ୍ୟ ନିର୍ମାଣ କରାଯାଇଛି । ଏହାର ନାମ ‘ମତ୍ସ୍ୟ-୬୦୦୦’ ରଖାଯାଇଛି । ଦୀର୍ଘ ଦୁଇବର୍ଷ ହେବ ଏହି ବୁଡ଼ାଜାହାଜର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା । ଏହାର ପ୍ରଥମ ସମୁଦ୍ର ପରୀକ୍ଷଣ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ । ଚେନ୍ନାଇ ଉପକୂଳରେ ଏହାର ପରୀକ୍ଷଣ କରିବାକୁ ବୈଜ୍ଞାନିକମାନେ ନିଷ୍ପତ୍ତି ନେଇଛନ୍ତି । ତେବେ ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ଚଳିତବର୍ଷ ଜୁନ୍ ମାସରେ ସ୍ୱତନ୍ତ୍ର ଟାଇଟନ ବୁଡାଜାହାଜ ବୁଡ଼ି ଯାଇଥିଲା । ଏଥିରେ ଥିବା ୫ଜଣଙ୍କର ମଧ୍ୟ ମୃତ୍ୟୁ
ଘଟିଥିଲା । ଟାଇଟନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଏହି ୫ଜଣ ଯାଇ ସମୁଦ୍ରର ଅଥଳ ଜଳରାଶିରେ ଆଖି ବୁଜିଥିଲେ ।

ତେଣୁ ଭାରତୀୟ ବୈଜ୍ଞାନିକମାନେ ମତ୍ସ୍ୟ ବୁଡାଜାହାଜ ନିର୍ମାଣ କରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ସହ ଏହାର ଡିଜାଇନ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରିଛନ୍ତି । ଚେନ୍ନାଇରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍‌ ଟେକ୍ନଲୋଜି ଏହାକୁ ବିକଶିତ ଓ ଡିଜାଇନ କରିଥିବା ସୂଚନା ମିଳିଛି । ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଏମ.ରବିଚନ୍ଦ୍ରନ କହିଛନ୍ତି ଯେ ସମୁଦ୍ରଯାନ ମିଶନ ଗଭୀର ସାଗରମିଶନ ଅଧୀନରେ ଆରମ୍ଭ କରାଯାଇଛି । ଆସନ୍ତା ୨୦୨୪ ପ୍ରଥମ ଭାଗରେ ଏହାର ପ୍ରଥମ ପରୀକ୍ଷଣ ୫୦୦ ମିଟର ଗଭୀର ଜଳରାଶିରେ
କରାଯିବ । ଏହି ମିଶନ ୨୦୨୬ ସୁଦ୍ଧା ବାସ୍ତବ ରୂପନେବ । ଏହି ବୁଡ଼ାଜାହାଜର ସ୍ୱାଭାବିକ ଅପରେସନ ସମୟ ହେଉଛି ୧୨ରୁ ୧୬ ଘଣ୍ଟା । କିନ୍ତୁ ଏଥିରେ ଥିବା ଲୋକମାନଙ୍କ ସୁରକ୍ଷା ପାଇଁ ୯୬ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଯାନ ସଂରକ୍ଷିତ ହୋଇ ରଖାଯାଇପାରିବ । ଏହାର ଓଜନ ୨୫
ଟନ୍ । ଗଭୀର ସମୁଦ୍ରରେ ଥିବା ସମ୍ପଦ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ ଓ ଜୈବ ବିବିଧତାର ଆକଳନ କରାଯିବାକୁ ଥିବାବେଳେ ଏହା ଇକୋ ସିଷ୍ଟମକୁ କୌଣସି ପ୍ରକାରରେ ପ୍ରଭାବିତ କରିବ ନାହିଁ । ଏହି ଜାହାଜଟି ସଂପୂର୍ଣ୍ଣରୂପେ ପରିବେଶ ଉପଯୋଗୀ ।

Get real time updates directly on you device, subscribe now.