fbpx

ଏୟାର ଇଣ୍ଡିଆ-ଭିସ୍ତାରା ମିଶ୍ରଣ: CCI ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ ଏୟାର ଇଣ୍ଡିଆ- ଭିସ୍ତାରାର ମିଶ୍ରଣକୁ ଅନୁମୋଦନ ମିଳିଛି । ସିଙ୍ଗାପୁର ଏୟାରଲାଇନ୍ସ ଓ ଟାଟା ସନ୍ସର ମିଳିତ ମାଲିକାନାରେ ଥିବା ଭିସ୍ତାରା ସହ ଏୟାର ଇଣ୍ଡିଆର ମିଶ୍ରଣ ହେବ । ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ପକ୍ଷରୁ ଏନେଇ ମଞ୍ଜୁରୀ ମିଳିଛି । ମାତ୍ର ଏହି ଅନୁମତି ପାଇଁ କିଛି ସର୍ତ୍ତ ରଖାଯାଇଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏହି ମିଶ୍ରଣ ନେଇ ସିସିଆଇ ପକ୍ଷରୁ ଏକ ପୋଷ୍ଟ ଶେୟାର କରାଯାଇଛି ।

ଭିସ୍ତାରା ଓ ଏୟାର ଇଣ୍ଡିଆ ଟାଟା ଗ୍ରୁପର ପୂର୍ଣ୍ଣ-ସେବା ଧାରୀ ଏୟାରଲାଇନ୍ସ ଅଟନ୍ତି । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ୪୯ ପ୍ରତିଶତ ଅଂଶଧନ ରହିଛି । ସହଜ ଭାଷାରେ କହିବାକୁ ଗଲେ ମିଶ୍ରଣ ପରେ ଭିସ୍ତାରା ଏୟାରଲାଇନର କର୍ତ୍ତୃତ୍ୱ ସମାପ୍ତ ହୋଇଯିବ । ପ୍ରସ୍ତାବିତ ମିଶ୍ରଣ ପାଇଁ ଗତ ଏପ୍ରିଲ ମାସରେ ସିସିଆଇ ମଞ୍ଜୁରୀ ମାଗିଥିଲା । ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ (ଟିଏସପିଏଲ), ଏୟାର ଇଣ୍ଡିଆ ଲିମିଟେଡ, ଟାଟା ଏସଆଇଏ ଏୟାରଲାଇନ୍ସ ଲିମିଟେଡ (ଟିଏସଏଏଲ) ଓ ସିଙ୍ଗାପୁର ଏୟାରଲାଇନ୍ସ ଲିମିଟେଡ ଏଥିରେ ପକ୍ଷ ରହିଛନ୍ତି ।

ଭିସ୍ତାରା ସହିତ ମିଶ୍ରଣ ପ୍ରସ୍ତାବର ଯାଞ୍ଚ କ’ଣ ପାଇଁ କରାଯିବ ନାହିଁ ସେନେଇ କାରଣ ଦର୍ଶାଇବା ପାଇଁ ଏୟାର ଇଣ୍ଡିଆକୁ ସିସିଆଇ ପକ୍ଷରୁ ନିକଟରେ କୁହାଯାଇଥିଲା । ଏହି ନୋଟିସର ଜବାବ ୩୦ ଦିନ ଭିତରେ ପ୍ରଦାନ କରିବାକୁ କମ୍ପାନୀକୁ କୁହାଯାଇଥିଲା । ଏହାପରେ ଏୟାର ଇଣ୍ଡିଆ ପକ୍ଷରୁ ଜବାବ ଦାଖଲ କରାଯିବା ପରେ ସିସିଆଇ ଏହି ମିଶ୍ରଣକୁ ମଞ୍ଜୁରୀ ପ୍ରଦାନ କରିଛି । ତେବେ ଏହି ଡିଲ ପରେ ଏୟାର ଇଣ୍ଡିଆ ଦେଶର ସବୁଠାରୁ ବଡ଼ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ ଓ ଦ୍ୱିତୀୟ ସର୍ବବୃହତ ଘରୋଇ ଏୟାରଲାଇନ ଭାବେ ପରିଚିତ ହେବ । ଗତବର୍ଷ ଜାନୁଆରୀ ମାସରେ କେନ୍ଦ୍ର ସରକାରଙ୍କ ଠାରୁ ଏୟାର ଇଣ୍ଡିଆର କଣ୍ଟ୍ରୋଲ ନିଜ ହାତକୁ ନେବା ପରେ ଟାଟା ଗ୍ରୁପ ଏହାର ପୁନର୍ଗଠନ ନେଇ ପ୍ରୟାସ ଆରମ୍ଭ କରିଦେଇଥିଲା ।

Get real time updates directly on you device, subscribe now.