ଏୟାର ଇଣ୍ଡିଆର ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି

ପୂର୍ବରୁ ଟାଟା ଏକ କୋଟି ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛି।

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଘୋଷଣା। ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ। ସହାୟତା ରାଶି ଘୋଷଣା କଲା ଏୟାର ଇଣ୍ଡିଆ। ପ୍ରତି ମୃତକଙ୍କ ପରିବାରକୁ  ମିଳିବ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି।

ଗୁରୁବାର ଦିନ ଅହମ୍ମଦାବାଦର ଭୟଙ୍କର ବିମାନ ଦୁର୍ଘଟଣା। ଯେଉଁ ବିମାନରେ ଥିଲେ ୨୪୨ ଜଣ। ତନ୍ମଧ୍ୟରୁ ୧୦ ଜଣ କ୍ରୁ ସଦସ୍ୟ ଏବଂ ଦୁଇ ଜଣ ପାଇଲଟ୍। ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା, କେବଳ ଜଣେ ଯାତ୍ରୀଙ୍କୁ ଛାଡ଼ି।

କେବଳ ବିମାନରେ ଥିବା ଲୋକଙ୍କର ମୃତ୍ୟୁ ହୋଇଥିଲା ତାହା ନୁହେଁ। ଏହି ବିମାନଟି ଦୁର୍ଘଟଣା ହେବା ବେଳେ, ଏକ ଡାକ୍ତରୀ ହଷ୍ଟେଲରେ ପିଟି ହୋଇଥିଲା। ଯେଉଁ ହଷ୍ଟେଲର ୫ ଜଣ ଛାତ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଏହାସହ ଆଖପାଖରେ ଥିବା କିଛି ଲୋକ ଆହତ ହୋଇଥିବା ବେଳେ, ଆଉ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ଆଉ ଏହାରି ଭିତରେ ଯେଉଁଦିନ ଦୁର୍ଘଟଣା ଘଟିଲା, ସେହିଦିନ ହିଁ ଟାଟା ସନ୍ସ ସହାୟତା ରାଶି ଘୋଷଣା କରିଥିଲା।

ପ୍ରତ୍ୟେକ ମୃତକଙ୍କ ପରିବାରକୁ ଟାଟା ଗୃପ ଏକ କୋଟି ଲେଖାଏଁ ସହାୟତା ରାଶି ଦେବ ବୋଲି ଘୋଷଣା କରିଥିଲା। ଏହାସହ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଏବଂ କ୍ଷତି ହୋଇଥିବା ହଷ୍ଟେଲର ମରାମତି କରିବ ବୋଲି ଟାଟା ଗୃପ ପ୍ରତିଶୃତି ଦେଇଥିଲା। ଆଉ ଏବେ ଏୟାର ଇଣ୍ଡିଆ ମଧ୍ୟ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି।