ଆଲିଆ ଭଟ୍ଟଙ୍କୁ ଠକିଦେଲେ ପୂର୍ବତନ ଆସିଷ୍ଟାଣ୍ଟ, ଅଭିନେତ୍ରୀଙ୍କ ଅଭିଯୋଗ ପରେ ଗିରଫ କଲା ପୋଲିସ
ଗିରଫ ହେଲେ ଆଲିଆଙ୍କ ପୂର୍ବତନ ସେକ୍ରେଟାରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ ହାଉସ ‘ଇଟର୍ନାଲ ସନ୍ସାଇନ୍ ପ୍ରଡକ୍ସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଏବଂ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ୭୬.୯ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ତାଙ୍କ ପୂର୍ବତନ ପର୍ସନାଲ ଆସିଷ୍ଟାଣ୍ଟ ବେଦିକା ପ୍ରକାଶ ଶେଟ୍ଟୀଙ୍କୁ ମୁମ୍ବାଇର ଜୁହୁ ପୋଲିସ ଗିରଫ କରିଛି। ଏହି ଘଟଣା ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।
ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ବେଦିକା ଶେଟ୍ଟୀ ଦୁଇ ବର୍ଷ ଧରି ଆଲିଆଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ଏହି ସମୟରେ ସେ ନକଲି ବିଲ ତିଆରି କରି ଆଲିଆଙ୍କଠାରୁ ଦସ୍ତଖତ କରାଇଥିଲେ।
ଏହି ବିଲଗୁଡ଼ିକ ଆଲିଆଙ୍କ ଯାତ୍ରା, ମିଟିଂ ଏବଂ ଅନ୍ୟାନ୍ୟ ଆୟୋଜନ ସହ ଜଡ଼ିତ ଖର୍ଚ୍ଚ ବୋଲି ସେ ଦାବି କରୁଥିଲେ। ଏହି ବିଲଗୁଡ଼ିକୁ ଅନଲାଇନ ଟୁଲ୍ସ ବ୍ୟବହାର କରି ପ୍ରୋଫେସନାଲ ଭାବେ ଡିଜାଇନ କରାଯାଇଥିଲା, ଯାହା ଦ୍ଵାରା ସେଗୁଡ଼ିକ ଅସଲି ମନେ ହେଉଥିଲା।
ଏହି ଧୋକାଦିଅନ୍ତା କାର୍ଯ୍ୟ ଜରିଆରେ ବେଦିକା ଆଲିଆଙ୍କ ପ୍ରଡକ୍ସନ ହାଉସ ଏବଂ ବ୍ୟକ୍ତିଗତ ଆକାଉଣ୍ଟରୁ ୭୬.୯ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।
ଠକେଇ ଧରାପଡ଼ିବା ପରେ ବେଦିକା ପ୍ରାୟ ୫ ମାସ ଫେରାର ଥିଲେ। ଜୁହୁ ପୋଲିସ ତାଙ୍କୁ ଖୋଜି ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ସେ ଏହି ଅର୍ଥକୁ ନିଜ ବ୍ୟକ୍ତିଗତ ଖାତାକୁ ସ୍ଥାନାନ୍ତର କରି ବ୍ୟବହାର କରୁଥିଲେ।
ଆଲିଆଙ୍କ ପ୍ରଡକ୍ସନ ହାଉସ ତରଫରୁ ଅଭିଯୋଗ ଦାଖଲ ପରେ ପୁଲିସ ଭାରତୀୟ ଦଣ୍ଡବିଧାନ ସଂହିତାର ଧାରା ୨୦ (ଠକେଇ) ସମେତ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଛି।